ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାକିସ୍ତାନର ବାଲୋଚିସ୍ତାନରେ ମିଲିଟାରୀ ବସ୍ ଉପରେ ଆକ୍ରମଣ ହୋଇଛି । ଏଠାରେ ରହୁଥିବା ବିଦ୍ରୋହୀ ଗୋଷ୍ଠୀ ପାକିସ୍ତାନର ଦୁଇଟି ମିଲାଟାରୀ ବେସ୍ ଉପରେ ହମଲା କରିଛନ୍ତି। ଡବଲ ହମଲାରେ ୧୦୦ରୁ ଅଧିକ ପାକିସ୍ତାନ ସୈନ୍ୟ ପ୍ରାଣ ହରାଇଥିବା ହମଲାକାରୀଙ୍କ ପକ୍ଷରୁ ଦାବି କରାଯାଇଛି। ଏବେ ବି ହମଲା ହୋଇଥିବା ବେସ୍ ଦ୍ୱୟର ଅଧିକାଂଶ ଅଞ୍ଚଳ ବିଦ୍ରୋହୀଙ୍କ କବଜାରେ ଥିବା ସୂଚନା ମିଳୁଛି । ସ୍ଥିତିକୁ ଦୃଷ୍ଟିରେ ରଖି ହମଲା ହୋଇଥିବା ପଞ୍ଜଗୁର ଓ ନୌଶିକ ଜିଲ୍ଲାରେ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି। ତେବେ ପାକିସ୍ତାନ ସେନା ଏହି ହମଲାରେ କୌଣସି ପ୍ରକାରର ବବଡ଼ କ୍ଷତି ହୋଇ ନଥିବା କହିଛି। ସେନା ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦୀମାନେ କରିଥିବା ହମଲାରେ ପାକିସ୍ତାନର ଜଣେ ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି। ତେବେ ସେନାର ପାଲଟା ଆକ୍ରମଣରେ ବିଦ୍ରୋହୀ ଗୋଷ୍ଠୀର ୪ ଜଣ ସଦସ୍ୟ ନିହତ ହୋଇଛନ୍ତି। ଏବେ ବି କିଛି ସ୍ଥାନରେ ଗୁଳି ବିନିମୟର ଜାରି ରହିଥିବା ସେନା କହିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୱିଣ୍ଟର ଅଲିମ୍ପିକ୍ସ ପାଇଁ ଚାଇନା ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏପରି ଘଟଣା ଘଟିଛି। ଚାଇନା ପାକିସ୍ତାନର ଯେଉଁ ସ୍ଥାନରେ ବିପୁଳ ପୁଞ୍ଜି ନିବେଶ କରିଛି, ସେହିଠାରେ ହିଁ ହମଲା ହୋଇଛି। ତେଣୁ ପାକିସ୍ତାନ ସହ ବନ୍ଧୁ ଚାଇନାର ମଧ୍ୟ ଚିନ୍ତା ବଢ଼ିଛି। ଘଟଣାକୁ ଇମ୍ରାନ ଖାନ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ଆମେ ଆମର ସାହାସୀ ସୈନ୍ୟମାନଙ୍କୁ ସାଲ୍ୟୁଟ କରୁଛୁ। ସେମାନଙ୍କ ପାଇଁ ଆତଙ୍କୀ ହମଲାକୁ ପ୍ରତିହତ କରାଯାଇ ପାରିଲା।” ବାଲୋଚ ଲିବେରେସନ ଆର୍ମି(ବିଏଲଏଫ) ଘଟଣା ପାଇଁ ନିଜକୁ ଦାୟୀ କରିଛି। ଏଥିସହ ହମଲାରେ ୧୦୦ରୁ ଅଧିକ ପାକିସ୍ତାନ ସୈନ୍ୟ ନିହତ ହୋଇଥିବା ଏହି ଗୋଷ୍ଠୀ ଦାବି କରିଛି। ବିଏଲଏଫ ଗୋଟିଏ ବିବୃତିରେ କହିଛି, “୨ଟି ଯାକ ବେସ୍ କ୍ୟାମ୍ପରେ ଆତ୍ମଘାତୀ ହମଲା ହୋଇଛି। ଆମ ସଂଗଠନର ସଦସ୍ୟମାନେ ବିସ୍ଫୋରକ ଖଚିତ ଗାଡ଼ିକୁ ବେସ୍ କ୍ୟାମ୍ପର ପ୍ରବେଶ ପଥରେ ବିସ୍ଫୋରଣ କରିଛନ୍ତି। ଏଥିରେ ୧୦୦ରୁ ଅଧିକ ପାକିସ୍ତାନ ସୈନ୍ୟ ନିହତ ହୋଇଛନ୍ତି। କ୍ୟାମ୍ପର ଅଧିକାଂଶ ଅଞ୍ଚଳ ଆମ ଯୋଦ୍ଧାମାନେ ନିଜ କଜବାରେ ରଖିଛନ୍ତି।” ଗତ ସପ୍ତାହରେ ବିଦ୍ରୋହୀମାନେ ଗୱାଦାର ପୋର୍ଟ ନିକଟରେ ଥିବା ଗୋଟିଏ ଚେକ ପୋଷ୍ଟରେ ହମଲା କରିଥିଲେ। ଏଥିରେ ୧୦ ଜଣ ପାକିସ୍ତାନ ସୈନ୍ୟଙ୍କ ଜୀବନ ଯାଇଥିଲା। ତେବେ ବୁଧବାର ରାତିରେ ପଞ୍ଜଗୁର ଓ ନୌଶିକ ଜିଲ୍ଲାରେ ହୋଇଥିବା ହମଲାକୁ ଭଣ୍ଡୁର କରାଯାଇ ପାରିଥିବା ପାକିସ୍ତାନ ସେନା ଦାବି କରିଛି। ସେନା କହିଛି ଯେ ପଞ୍ଜଗୁର ଠାରେ ହୋଇଥିବା ଗୁଳି ବିନିମୟରେ ଜଣେ ପାକ୍ ସୈନ ପ୍ରାଣ ହରାଇଛନ୍ତି। ତେବେ ଏଠାରେ ଆତଙ୍କବାଦୀମାନେ କୌଣସି ବଡ଼ କ୍ଷତି ଘଟାଇ ପାରିନାହାନ୍ତି। ଏହାର କିଛି ଘଣ୍ଟା ପରେ ନୌଶିକ ଜିଲ୍ଲାରେ ମଧ୍ୟ ହମଲା ହୋଇଥିଲା। ଏହାକୁ ସୁରକ୍ଷାକମୀମାନେ ସଫଳତାର ସହ ମୁକାବିଲା କରିଥିଲେ। ହମଲାରେ ସାମିଲ ଥିବା ୪ ଜଣ ଆତଙ୍କବାଦୀ ମଧ୍ୟ ଗୁଳି କରି ଖତମ କରିଥିଲେ ବୋଲି ପାକିସ୍ତାନ ସେନା କହିଛି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……