Report Card Odisha

| Daily Odia News

ସବୁ ରାଜ୍ୟରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ୨୦୧୮ରେ ସୁପ୍ରିମ କୋର୍ଟ ଜାରି କରିଥିବା ନିଷେଧାଦେଶ ଦେଶର ସମସ୍ତ ରାଜ୍ୟ ପାଇଁ ଲାଗୁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କୋର୍ଟ। ରାଜସ୍ଥାନର ଉଦୟପୁର ବାୟୁମଣ୍ଡଳ ବିଷାକ୍ତ ହେବା ନେଇ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଏପରି ସ୍ପଷ୍ଟୀକରଣ ଦେଇଛନ୍ତି ସୁପ୍ରିମ କୋର୍ଟ। ଏବେ ବିଷାକ୍ତ ବାୟୁ ବଳୟରେ କବଳିତ ହୋଇଛି ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ। ମାତ୍ର କେବଳ ଦିଲ୍ଲୀ ନୁହେଁ, ରାଜସ୍ଥାନର ଉଦୟପୁରରେ ବି ସମାନ ଅବସ୍ଥା। ସେଠାରେ ବି ବିଷାକ୍ତ ବାୟୁର ଜ୍ୱଳାରେ ଛଟପଟ ହେଉଛନ୍ତି ଲୋକେ। ଏପରି ସ୍ଥିତିରେ ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ କରାଯାଇଥିବା ବେଳେ ଏହା ସମଗ୍ର ଦେଶ ପାଇଁ ଲାଗୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଉଦୟପୁରରେ ପ୍ରଦୂଷଣ ମାତ୍ରା ବଢ଼ିଯିବାରୁ ବାୟୁ ଗୁଣବତ୍ତାମାନ କମିବାରେ ଲାଗିଛି। ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏହି ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି ଯେ ୨୦୧୮ ମସିହାରେ ଦିଲ୍ଲୀ ରାଜଧାନୀ ଅଞ୍ଚଳ ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ସମଗ୍ର ଦେଶ ପାଇଁ ଲାଗୁ। ୨୦୧୮ ମସିହାରେ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ କରିଥିଲେ ସୁପ୍ରିମ କୋର୍ଟ। ବାଣ ବିକ୍ରି ଉପରେ ଲାଗୁ କଟକଣାକୁ ହଟାଇବା ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମାତ୍ର ଏହା ପ୍ରଦୂଷଣ ମାତ୍ରା ବଢ଼ାଉଥିବାରୁ ଏହାକୁ ହଟାଇବାକୁ ସଫା ସଫା ମନା କରି ସାରିଛନ୍ତି ସୁପ୍ରିମକୋର୍ଟ।ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ପ୍ରଦୂଷଣ ମାତ୍ରା କମ୍‌ କରିବା କେବଳ କୋର୍ଟଙ୍କ ଦାୟିତ୍ୱ ନୁହେଁ। ଏହା ସମସ୍ତଙ୍କ କର୍ତ୍ତବ୍ୟ, ସମସ୍ତେ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ।

Breaking News