ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜଧାନୀ ଭୁବନେଶ୍ୱରରେ ଶନିବାର ବିଳମ୍ବିତ ରାତିରେ ଇନ୍ଫୋସିଟି, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର ଓ ଖାରବେଳନଗର ଥାନା ଅଞ୍ଚଳରେ ଥିବା ୨୦ରୁ ଊର୍ଧ୍ବ ବାର୍ ଓ ନାଇଟ୍-କ୍ଲବ୍ ଉପରେ କମିସନରେଟ୍ ପୋଲିସ ଚଢ଼ାଉ କରିଛି। ବାର୍ଗୁଡ଼ିକ ରାତି ୧୨ଟା ପରେ ଖୋଲା ଥିବାରୁ ପୋଲିସ ବାର୍ ମାଲିକ ଓ କର୍ମଚାରୀଙ୍କୁ ତାଗିଦ୍ କରିବା ସହ ଅଣ୍ଡରଟେକିଂ ଲେଖାଇଥିବା ଜଣାଯାଇଛି। ଏହାଛଡ଼ା ୨ଟି ନାଇଟ୍ କ୍ଲବ ବିରୋଧରେ ପଦକ୍ଷେପ ନେବାକୁ ପୋଲିସ ଅବକାରୀ ବିଭାଗ ଓ ବିଏମ୍ସିକୁ ଚିଠି ଲେଖିଛି। କମିସନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ଯେ ନିୟମ ଅନୁଯାୟୀ ରାତି ୧୨ଟା ପରେ କୌଣସି ବାର୍ ଖୋଲା ରହିପାରିବ ନାହିଁ। ହେଲେ ସହରରେ ଥିବା ଅଧିକାଂଶ ବାର୍ ଏହି ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ତେଣୁ ରାତି ୧୨ଟା ପୂର୍ବରୁ ବିଲ୍ ପ୍ରକ୍ରିୟା ଶେଷ କରିବାକୁ ବାର୍ଗୁଡ଼ିକୁ କଡ଼ା ଚେତାବନୀ ଦିଆଯାଇଛି। ଏବେ ଅଣ୍ଡରଟେକିଂ ଲେଖାଇ ଛାଡ଼ି ଦିଆଯାଇଛି। କିନ୍ତ ୟା’ ପରେ ଯେଉଁ ବାର୍ ବା କ୍ଲବ୍ ରାତି ୧୨ଟା ପରେ ଖୋଲା ରହିବ, ତାକୁ ସିଲ୍ କରିଦିଆଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ। ଆବଶ୍ୟକ ପଡ଼ିଲେ, ଲାଇସେନ୍ସ ବି ରଦ୍ଦ କରିଦିଆଯିବ। ସୂଚନାଯୋଗ୍ୟ, ପଟିଆଠାରୁ ଆରମ୍ଭ କରି କଟକ ରୋଡ୍ ପର୍ଯ୍ୟନ୍ତ ରାଜଧାନୀରେ ଥିବା ବିଭିନ୍ନ ବାର୍ଗୁଡ଼ିକ ନିୟମ ଉଲ୍ଲଙ୍ଘନ କରି ପାହାନ୍ତା ପର୍ଯ୍ୟନ୍ତ ଖୋଲା ରହୁଛି। ସେଠାରେ ମଦର ଆସର ଜମିବା ସହ ଯୁବକ/ଯବୁତୀମାନେ ନାଚ, ଗୀତରେ ମତୁଆଲା ହେଉଛନ୍ତି। ପରେ ନିଶାସକ୍ତ ଅବସ୍ଥାରେ ସେମାନଙ୍କ ମଧ୍ୟରେ ମାଡ଼ପିଟ୍ ଭଳି ଅପ୍ରୀତିକର ଘଟଣା ଘଟୁଛି। ଏ ସଂପର୍କରେ ନିକଟ ଅତୀତରେ ‘ସମ୍ବାଦ’ରେ ଏକ ଖବର ପ୍ରକାଶ ପାଇବା ପରେ କମିସନରେଟ୍ ପୋଲିସ ଏହାକୁ ଗୁରୁତ୍ବର ସହ ନେଇଛି। ନିୟମ ଉଲ୍ଲଂଘନକାରୀ ବାର୍ଗୁଡ଼ିକୁ ସାବାଡ୍ କରିବା ପାଇଁ ଡିସିପି ପ୍ରତୀକ ସିଂ ସବୁ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..