ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଶିଳ୍ପପତି ତଥା ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କୁ ଆମେରିକାରୁ ବଡ଼ ଝଟକା ମିଳିଛି। ଅଦାନୀ ଗ୍ରୁପ ଆମେରିକାରେ ନିବେଶକମାନଙ୍କ ସହିତ ଠକେଇ କରିବା ଏବଂ ଏକ ସୌର ଶକ୍ତି ଚୁକ୍ତି ହାସଲ କରିବା ଲାଗି ଭାରତୀୟ ଅଧିକାରୀମାନଙ୍କୁ ହଜାର ହଜାର କୋଟି ଟଙ୍କା ଲାଞ୍ଚ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହି ମାମଲା ଅଦାନୀ ଗ୍ରୀନ ଏନର୍ଜୀ ଏବଂ ଅନ୍ୟ କିଛି କମ୍ପାନୀ ସହିତ ଜଡ଼ିତ ଥିବା ଜଣାପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ଆଜି ଶେୟାର ବଜାରରେ ଅଦାନୀଙ୍କ ସମସ୍ତ କମ୍ପାନୀର ଶେୟାର କ୍ରାଶ ହୋଇଯାଇଛି। ଏକାଧିକ ଶେୟାର ମୂଲ୍ୟ ପ୍ରାୟ ୧୦ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ, ୨୦୨୦ରୁ ୨୦୨୪ ମଧ୍ୟରେ ଅଦାନୀ ଗ୍ରୀନ ଏବଂ ଆଜ୍ୟୋର ପାଓ୍ବାର ଗ୍ଲୋବାଲକୁ ସୌର ପ୍ରକଳ୍ପ ଦେବା ଲାଗି ଚଞ୍ଚକତା ପୂର୍ବକ ଭାରତୀୟ ଅଧିକାରୀମାନଙ୍କୁ ଲାଞ୍ଚ ଦିଆଯାଇଛି। ଅଧିକାରୀମାନଙ୍କୁ ପ୍ରାୟ ୨୨୩୬ କୋଟି ଲାଞ୍ଚ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହି ଚୁକ୍ତି ଦ୍ଵାରା ୨୦ ବର୍ଷ ମଧ୍ୟରେ କମ୍ପାନୀ ୨ଶହ କୋଟି ଡଲାରରୁ ଅଧିକ ଲାଭ ହାସଲ କରିବା ନେଇ ଅନୁମାନ କରାଯାଇଛି। ଏହାର ଫାଇଦା ଉଠାଇବା ଲାଗି ଜାଲିଆତି ବଳରେ ଲୋନ୍ ଏବଂ ବଣ୍ଡ ଯୋଗାଡ଼ କରାଯାଇଛି। ଏପରି ଅଭିଯୋଗ ସମ୍ପର୍କରେ ଅଦାନୀ ଗ୍ରୁପ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ଆମେରିକାର ନ୍ୟାୟ ବିଭାଗ ଏବଂ ଏସଇସି କମ୍ପାନୀର ବୋର୍ଡ ସଦସ୍ୟ ଗୌତମ ଅଦାନୀ ଏବଂ ସାଗର ଅଦାନୀଙ୍କ ବିରୋଧରେ ନ୍ୟୁୟର୍କର ପୂର୍ବି ଜିଲା କୋର୍ଟରେ ଏକ ଅଭିଯୋଗ ଦାଖଲ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ବର୍ତ୍ତମାନ ପ୍ରସ୍ତାବିତ ୟୁଏସଡି ବଣ୍ଡ ସହିତ ଚୁକ୍ତିକୁ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ବ୍ଲୁମବର୍ଗ ସୂଚନା ଅନୁସାରେ, କମ୍ପାନୀ ୬୦୦ ନିୟୁତ ଡଲାରର ବଣ୍ଡକୁ ରଦ୍ଦ କରିଦେଇଛି। ସେପଟେ ଆମେରିକା କୋର୍ଟଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଆଦାନୀ ଗ୍ରୁପ୍। ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ ବୋର୍ଡ ସଦସ୍ୟଙ୍କ ବିରୁଦ୍ଧରେ ଆମେରିକାର ଓକିଲମାନେ ଆଣିଥିବା ଲାଞ୍ଚ ଏବଂ ସୁରକ୍ଷା ଜାଲିଆତି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ଆଦାନୀ ଗ୍ରୁପ୍। ଆଦାନୀ ଗ୍ରୁପ୍ ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ଏହାର ସମାଧାନ ପାଇଁ ସମସ୍ତ ସମ୍ଭାବ୍ୟ ଆଇନଗତ ପନ୍ଥା ଆପଣାଯବି ବୋଲି ଆଦାନୀ ଗ୍ରୁପ୍ କହିଛି। ଗ୍ରୁପ୍ କହିଛି ଯେ, ଆମେରିକାର ନ୍ୟାୟ ବିଭାଗ (ଡିପାର୍ଟମେଣ୍ଟ ଅଫ୍ ଜଷ୍ଟିସ୍) ନିଜେ କହିଛି ଯେ, ଏହି ଅଭିଯୋଗରେ ଅଭିଯୁକ୍ତମାନେ ଦୋଷୀ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ନିର୍ଦ୍ଦୋଷ ରୂପେ ବିବେଚନା କରାଯାଏ।
More Stories
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୋକାର୍ପଣ କଲେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି…..
ଭାରତକୁ ଉପହାର ଦେଲେ ବାଇଡେନ…..
ସୁରକ୍ଷା ବାହିନୀ-ଆତଙ୍କୀ ମୁହାଁମୁହିଁ,ଜଣେ ଆତଙ୍କୀ ନିହତ….