ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରୀବିହାର ଯୁବ ଓ ସାଂସ୍କୃତିକ ସଂଘର ସାଂସ୍କୃତିକ ସଂପାଦକ ତଥା ଉଦୟମାନ କବି, ସଂଗଠକ, ସମାଜସେବୀ ବଟକୃଷ୍ଣ ପଣ୍ଡାଙ୍କୁ କବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀ ଜଗନ୍ନାଥ ପରିବାର ଚାରିଟେବଲ ଟ୍ରଷ୍ଟ ଆନୁକୂଲ୍ୟରେ ଏହାର ମୁଖ୍ୟ ଅରୁଣ କୁମାର ଦାସଙ୍କ ପୌରାହିତ୍ୟରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସୁନାମଧନ୍ୟ ପ୍ରବଚକ ବାବା ଦିବାକର ଦାସ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ତଥା ମାନପତ୍ର ସହ ସମ୍ମାନୀତ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀଯୁକ୍ତ ପଣ୍ଡା ବିଭିନ୍ନ ପର୍ବପର୍ବାଣୀ, ଘଟଣାବଳୀ, ବରପୁତ୍ର ମାନଙ୍କର ଜନ୍ମ ଏବଂ ଶ୍ରାଦ୍ଧବାର୍ଷିକୀ ତଥା ପୂଜ୍ୟପୂଜା ଅବସରରେ ନିଜ ସ୍ୱରଚିତ କବିତା ପ୍ରକାଶିତ କରି ରାଜ୍ୟ ତଥା ରାଜ୍ୟବାହାରର ସାରସ୍ୱତ ସାଧନା ଜଗତରେ ଏକ ପ୍ରମୁଖ ସ୍ଥାନ ବଜାୟ ରଖିପାରିଛନ୍ତି । ସ୍ୱାବଲମ୍ବୀ ଉପରେ ରୁଚି ରଖୁଥିବା ଶ୍ରୀଯୁକ୍ତ ପଣ୍ଡା ଶିକ୍ଷକତା ବୃତ୍ତିରୁ କର୍ମମୟ ଜୀବନ ଆରମ୍ଭ ପରେ ଏହାକୁ ପରିତ୍ୟାଗ କରି ଏକ ସଫଳ ସିଭିଲ କଣ୍ଟ୍ରାକ୍ଟର ରୂପେ କାର୍ଯ୍ୟରତ ସହ ଲେଖନୀ ମୁନରେ ସୃଜନାତ୍ମକ ରଚନାରେ ସିଦ୍ଧହସ୍ତ ପାଲଟିଛନ୍ତି । ଏହି ସମ୍ମାନଜନକ ଉପାଧିରେ ପୁରସ୍କୃତ ହେବା ପରେ ତାଙ୍କ ନିଜ ଅନୁଷ୍ଠାନ ତରଫରୁ ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ସମ୍ପାଦକ ବିଶ୍ୱଜିତ ପଟ୍ଟନାୟକ, ବରିଷ୍ଠ ସଭ୍ୟ ଗଦାଧର ରଥ, କୁମର ବାରିକ, ଗୋବିନ୍ଦ ବିଶ୍ୱାଳ, ଅର୍ଜୁନ ଦେହୁରୀ ଓ ଭୀମସେନ ସାମଲ ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ପଣ୍ଡାଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ପ୍ରାଣ ପ୍ରତିଷ୍ଠାତା ସବିତା ଦାସ, ସଭାପତି ସୌମ୍ୟାଶ୍ରୀ ଶତପଥି, ସମ୍ପାଦକ ପ୍ରିୟରଞ୍ଜନ ଦାସ, ଉପସଭାପତି ଶୁଭସ୍ମିତା ପଣ୍ଡା, ସହ ସମ୍ପାଦକ ସ୍ମୃତି ରଞ୍ଜନ ଦାସ, ବରିଷ୍ଠ କର୍ମକର୍ତ୍ତା ସନ୍ତୋଷ ଦାସ, ପିଙ୍କି ପ୍ରିୟଦର୍ଶିନୀ ଜେନା, ମନୋଜ ମହାନ୍ତି, ଦୀପକ ଜେନା, ଅଜୟ ସେଠୀ, ସୁବାସ ସରୋଜ ମହାନ୍ତି, ଚନ୍ଦ୍ର ରଞ୍ଜନ ଜେନା, ଶୁଭଶ୍ରୀ ନାୟକ, କମଳିନୀ ଚଣ୍ଡୀଙ୍କ ସହ ଅନ୍ୟାନ୍ୟ ସାରସ୍ୱତ ପ୍ରତିଭା ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀଯୁକ୍ତ ପଣ୍ଡା ଏହି ପୁରସ୍କାର ମୋତେ ଉତ୍ସାହିତ କରିବା ସହ ସୃଜନାତ୍ମକ ରଚନାରେ ସାହାଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ । ଢେଙ୍କାନାଳ ଜିଲ୍ଲା ସାଆନ୍ଦା, ଭେରୁଣିଆ ଗ୍ରାମରେ ଜନ୍ମିତ ମାଆ ମାଟିର ଗର୍ବ ଶ୍ରୀଯୁକ୍ତ ପଣ୍ଡାଙ୍କ ଏହି ସଫଳତାରେ ବୁଦ୍ଧିଜୀବି ତଥା ଅନ୍ୟାନ୍ୟ ମହଲରୁ ପ୍ରଶଂସା କରାଯାଇଛି ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..