Report Card Odisha

| Daily Odia News

ଭୁବନେଶ୍ୱରରେ କୁନିବାବା ଙ୍କ ପାଦରେ ବିଛା ହୋଇଛି ତୁଳସୀ, ଥାନାରେ ଅଭିଯୋଗ……

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜଧାନୀ ଭୁବନେଶ୍ୱରରେ ଉଭା ହୋଇଛନ୍ତି କୁନି ବାବା | ବୟସ ପାଖାପାଖି ୧୦ ରୁ ୧୨ ବର୍ଷ। ପାଦରେ ବିଛା ହୋଇଛି ତୁଳସୀ ପତ୍ର। ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ବେଳେ ଥାନାରେ ଅଭିଯୋଗ ହୋଇଛି | କୁନି ବାବା ମୁଣ୍ଡରେ ପିନ୍ଧିଛନ୍ତି ମୟୂର ଚୂଳ। ବେକରେ ଝୁଲୁଛି ଫୁଲ ହାର। ଆଉ ସିଂହାସନରେ ବସାଇ କରାଯାଉଛି ପୂଜାର୍ଚ୍ଚନା। ବାପ-ମା କହୁଛନ୍ତି ଇଏ କୁଆଡ଼େ ଜଗନ୍ନାଥଙ୍କ ଅବତାର। ଏମିତି ଜଣେ କୁନି ବାବା ଉଭା ହୋଇଛନ୍ତି ଖଣ୍ଡଗିରି ବାରିର ଏକ ଆଶ୍ରମରେ। ଆଶ୍ରମ ଲୋକେ କହୁଛନ୍ତି – ବାଳକ ହେଉଛନ୍ତି କଳକୀ ଭଗବାନ। ଏହି ନାବାଳକଙ୍କ ଜଣଙ୍କ ହେଉଛନ୍ତି ଖଣ୍ଡଗିରି ବାସିନ୍ଦା କାଶୀନାଥ ମିଶ୍ରଙ୍କ ପୁଅ ଅନନ୍ତ ମାଧବ। ପୁଅକୁ ଜଗନ୍ନାଥଙ୍କ ଅବତାର ବୋଲି ଅପପ୍ରଚାର କରୁଛନ୍ତି କାଶୀନାଥ। ମାଧବଙ୍କୁ ବାବା ସଜେଇ ଲୋକଙ୍କଠୁ କରୁଛନ୍ତି ରୋଜଗାର। ଯାହାକି ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଭାବେ ମର୍ମାହତ କରିଛି। ଏହାକୁ ବିରୋଧ କରି ଭରତପୁର ରାଜ୍ୟ ସମାଜସେବୀ ମହାସଂଘ ଥାନାର ଦ୍ୱାରସ୍ଥ ହୋଇଛି। ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମହାସଂଘ ଦାବି କରିଛି। ସ୍ଵେଚ୍ଛାସେବୀ ସଙ୍ଗଠନର ଅଭିଯୋଗକୁ ଆଧାର କରି ବୈକୁଣ୍ଠଧାମ ସେବାଶ୍ରମରେ ଭରତପୁର ଥାନା ପୋଲିସ ଚଢାଉ କରିଛି। ସେପଟେ କୁନି ବାବାଙ୍କ ନାଁରେ ଅଭିଯୋଗ ପରେ ଆଶ୍ରମ ଟ୍ରଷ୍ଟି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, କୁନି ପିଲାଟି ଭିତରେ ଅନେକ ଅଲୌକିକ ଶକ୍ତି ରହିଛି । ବହୁ ଦୁରାରୋଗକୁ ଭଲ କରିବାର କ୍ଷମତା ଅଛି । ତାଙ୍କୁ ଶୂନ୍ୟବାଣୀ ହୋଇଛି ଯେ ସ୍ୱୟଂ ଶ୍ରୀଜଗନ୍ନାଥ ବେଶରେ ଏହି ବାଳକ ତାଙ୍କ ଆଶ୍ରମରେ ଜନ୍ମ ଗ୍ରହଣ କରିସାରିଛନ୍ତି । ସେଥିପାଇଁ ତାଙ୍କ ପାଦ ଓ ମୁଣ୍ଡରେ ତୁଳସୀ ପତ୍ର ଚଢ଼ା ହେଉଛି। ବୈକୁଣ୍ଠ ସେବାଶ୍ରମର ସଭାପତି ପାଣ୍ଡବ ପରିଡା କହିଛନ୍ତି ଯେ, କୁନି ବାବା ଆମ ପାଇଁ ଠାକୁର। ୪ ବର୍ଷ ବୟସରୁ ଆମେ ବାବାଙ୍କ ଅଲୌକିକ ଦେଖି ଆସିଛୁ। ବାବା ଭବିଷ୍ୟତ କହୁଥିଲେ। ବାବା ଯାଜପୁରରେ ଜନ୍ମ ଆଉ ଖଣ୍ଡଗିରିରେ ଲୀଳା କରିବେ । ଶାସ୍ତ୍ରରେ ଲେଖା ହୋଇଛି ତାହା ଘଟୁଛି। ପୂର୍ବରୁ ଠାକୁର କହିଥିଲେ ମୋତେ ନିନ୍ଦା କରିବେ ଆଉ ଏବେ ନିନ୍ଦା ହଉଛି। ଆଜି ପୋଲିସ ଆସି ତଦନ୍ତ କରିଛି ଆମେ ସପୋର୍ଟ କରୁଛୁ । ଯେଉଁ ଅଭିଯୋଗ ହୋଇଛି ତାହା ସମ୍ପୂର୍ଣ୍ଣ ମିଛ। ବାବା ଛୋଟ ଥିବା ବେଳେ ତୁଳସୀ ଦିଆଯାଇଥିଲା ଏବେ ବାବଙ୍କ ବୟସ ୧୮ ବର୍ଷ ହୋଇଛି। ଏବେ ମୁଣ୍ଡରେ ତୁଳସୀ ଦିଆଯାଉଛି।

Breaking News