Report Card Odisha

| Daily Odia News

ଆଜିଠୁ ଦୁବାଇକୁ ବିମାନ ସେବା ଆରମ୍ଭ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର  

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୋମବାରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଉତ୍କଳ ଦିବସର ଏହି ବିମାନ ସେବା ପାଇଁ ଟିକଟ ବିକ୍ରିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ସୋମବାର ଉଦ୍‌ଘାଟନୀ ବିମାନରେ ରାଜ୍ୟ ସରକାରଙ୍କ ୭୦ଜଣିଆ ଦଳଙ୍କ ସହ ମୋଟ ୧୭୦ ଯାତ୍ରୀ ଦୁବାଇ ଯିବାର ନିଷ୍ପତ୍ତି ହୋଇଛି । ଏହି ବିମାନ ସେବା ଆରମ୍ଭ ହେବା ଦ୍ବାରା ଓଡ଼ିଶାକୁ ଅଧିକ ବ୍ୟବସାୟ ଓ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇପାରିବ। ବିଦେଶରେ ରହୁଥିବା ଓଡ଼ିଆଙ୍କୁ ଉକ୍ତ ବିମାନ ସେବା ସହାୟକ ହୋଇପାରିବ। ଇଣ୍ଡିଗୋ ଏୟାରଲାଇନ୍ସ ମେ ୧୫ରେ ଭୁବନେଶ୍ବରରୁ ଦୁବାଇକୁ ବିମାନ ଉଡ଼ାଣ କରିବା ନେଇ ପୂର୍ବରୁ ଟିକଟ ବିକ୍ରି ଆରମ୍ଭ କରିଛି। ସପ୍ତାହର ସୋମବାର, ବୁଧବାର ଏବଂ ଶୁକ୍ରବାର ଭୁବନେଶ୍ବର-ଦୁବାଇ ବିମାନ ଉଡ଼ାଣ କରିବା ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରୁ ଇଣ୍ଡିଗୋ ବିମାନ ସକାଳ ୬.୩୦ ମିନିଟରେ ଉଡ଼ାଣ କରି ଦୁବାଇରେ ପୂର୍ବାହ୍ନ ୯.୪୫ ମିନିଟରେ ଅବତରଣ କରିବ, ସେହିପରି ଦୁବାଇରୁ ଏହି ବିମାନ ସେହିଦିନ ଅପରାହ୍ଣ ୩.୧୫ ମିନିଟ୍‌ରେ ଭୁବନେଶ୍ବର ଅଭିମୁଖେ ବାହାରିବ। ଏହି ବିମାନ ସେବା ଆରମ୍ଭ କରିବା ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଟର୍ମିନାଲ ବିଲ୍ଡିଂ ପୁନରୁଦ୍ଧାର କରିଛନ୍ତି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସିଧାସଳଖ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକକ୍‌ ଅନ୍ତର୍ଜାତୀୟ ସହରକୁ ବିମାନ ଉଡ଼ାଣ ନେଇ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଥିଲା। ରାଜ୍ୟର ସମୃଦ୍ଧ ଖଣିଜ ସମ୍ପଦ, ବୈଷୟିକ ଜ୍ଞାନକୌଶଳ, ଇତିହାସ, ସଂସ୍କୃତି ଓ ପର୍ଯ୍ୟଟନକୁ ସମଗ୍ର ବିଶ୍ବ ଦରବାରରେ ପରିଚିତ କରିବା ପାଇଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଗୁରୁତ୍ବ ବହନ କରୁଛି। ଏହି ତିନି ଅନ୍ତର୍ଜାତୀୟ ସହରକୁ ବିମାନ ଉଡ଼ାଣ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏଥିପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ଆବେଦନ କରିଥିଲା। ସଂସ୍ଥା ପକ୍ଷରୁ ସରକାରଙ୍କୁ ଯେଉଁ ବିଲ୍ ଦିଆଯାଇଥିଲା ତାକୁ କ୍ୟାବିନେଟ ମଞ୍ଜୁର କରିଥିଲା। ସମସ୍ତ ଟିକଟ ଅର୍ଥ ରାଜ୍ୟ ସରକାରଙ୍କ ପାଖକୁ ଆସିବ ଏବଂ ବିମାନ ସଂସ୍ଥାକୁ ଟିକଟ ଖର୍ଚ୍ଚ ଦିଆଯିବ। ସପ୍ତାହକୁ ତିନିଦିନ ଦୁଇଟି ଲେଖାଏଁ ୧୮୬ ଆସନ(ସିଟ୍‌) ବିଶିଷ୍ଟ ବିମାନ ଚଳାଚଳ କରିବ। ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସୁଗମ କରିବା ସହ ରାଜ୍ୟ ରାଜସ୍ବ ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଜୁଲାଇ ୩ ତାରିଖରୁ ଭୁବନେଶ୍ବର ବିମାନବନ୍ଦରରୁ ସିଙ୍ଗାପୁର ଓ ବ୍ୟାଙ୍କକକ୍‌କୁ ବିମାନସେବା ଆରମ୍ଭ ହେବ।

 

Breaking News