Report Card Odisha

| Daily Odia News

ବେଙ୍ଗଲରେ ବନ୍ଦ ଡାକରା ଦେଲା ବିଜେପି, ଦିଦିଙ୍କ ଇସ୍ତଫା ଦାବି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା ପଶ୍ଚିମବଙ୍ଗରେ ବନ୍ଦ ଡାକରା ଦେଇଛି ବିଜେପି। ଆସନ୍ତାକାଲି ଦଳ ପକ୍ଷରୁ ପୂରା ବେଙ୍ଗଲରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ। ସକାଳ ୬ଟାରୁ ସନ୍ଧ୍ୟା ୬ ଟା ଯାଏ ବନ୍ଦ ପାଳନ ହେବ ବୋଲି ଆଜି ବେଙ୍ଗଲ ବିଜେପି ମୁଖ୍ୟ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଆଜି ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଚାଲିଥିବା ନବାନ୍ନ ଅଭିଯାନ ରାଲିରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ପୋଲିସ ଓ ବିକ୍ଷୋଭକାରୀ ବିଭିନ୍ନ ସ୍ଥାନରେ ମୁହାଁମୁହିଁ ହୋଇଛନ୍ତି। ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ପାଣି ମାଡ଼ କରିବା ସହ କିଛି ସ୍ଥାନରେ ଲାଠିଚାର୍ଜ ମଧ୍ୟ କରିଛି। ସେମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ସଚିବାଳୟ ବା ନବାନ୍ନ ଆଡ଼କୁ ଯାଉଥିବା ବେଳେ ସେମାନଙ୍କ ଉପରେ ଟିଏମସି ସରକାର ଆକ୍ରମଣ କରିଛି। ଏଥିଯୋଗୁ ହିଂସା ଦେଖିବାକୁ ମିଳିଛି ବୋଲି ଅଧିକାରୀ ଅଭିଯୋଗ କରିଛନ୍ତି। ଏଥିସହ ଦିଦିଙ୍କ ଇସ୍ତଫା ଦାବି କରି ଆସନ୍ତାକାଲି ବେଙ୍ଗଲରେ ବନ୍ଦ ପାଳନ ହେବ ବୋଲି ଘୋଷଣା କରିଛନ୍ତି। ବେଙ୍ଗଲରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ବୋଲି ଶୁଭେନ୍ଦୁ ଅଧିକାରୀ ଦାବି କରି କହିଛନ୍ତି ଯେ ଶିକ୍ଷାର୍ଥୀମାନେ ଆଜି କରିଥିବା ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କରିବା ପାଇଁ ମମତା ବାନାର୍ଜୀ ଦାୟୀ। ମମତା ବାନାର୍ଜୀ ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାମିଲ ଲୋକଙ୍କୁ ଘଣ୍ଟଘୋଡ଼ଉଛନ୍ତି। ମମତା ବାନାର୍ଜୀ ଜଣେ ଏକଛତ୍ରବାଦୀ ଶାସକ। ଦୁଷ୍କର୍ମ ଓ ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ପାଇଁ ସେ ଇସ୍ତଫା ଦିଅନ୍ତୁ। ସିବିଆଇ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଓ ପୁଲିସ୍‌ କମିଶନର ବିନୀତ ଗୋଏଲଙ୍କ ପଲିଗ୍ରାଫ ଟେଷ୍ଟ କରୁ ବୋଲି ମଧ୍ୟ ଶୁଭେନ୍ଦୁ ଅଧିକାରୀ ଓ ବିଜେପି ପକ୍ଷରୁ ଦାବି କରାଯାଇଛି। ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଆହୁରି କହିଛନ୍ତି ଯେ “ଶାନ୍ତିପୂର୍ଣ୍ଣ ଭାବେ ହେଉଥିବା ନବାନ୍ନ ଅଭିଯାନ ରାଲି ଉପରେ ପୁଲିସ୍‌ ଅତ୍ୟାଚାର କରିଛି। ଯଦି ପୋଲିସ ଯଦି ନିଜର ବର୍ବରତା ବନ୍ଦ ନ କରିବ, ତା’ହେଲେ ଆମେ ବେଙ୍ଗଲକୁ ଅଟକାଇ ଦେବୁ। ସନ୍ତ୍ରାଗାଚ୍ଛିରେ ପୋଲିସ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀଙ୍କୁ ପାଣି ମାଡ଼ କରିଛି। ହାୱାଡା ବ୍ରିଜ ଉପରେ ଶିକ୍ଷାର୍ଥୀଙ୍କ ଉପରକୁ ଲୁହ ବୁହା ବାଷ୍ପ ଛଡ଼ା ଯାଇଛି। କଲେଜ ରୋଡରେ ବିକ୍ଷୋଭକାରୀଙ୍କ ଉପରେ ଲାଠି ମାଡ଼ ହୋଇଛି। ଦୟା କରି ପୋଲିସର ବର୍ବରତା ତୁରନ୍ତ ବନ୍ଦ ହେଉ। ଯଦି ପୁଲି ଏହାକୁ ନ ବନ୍ଦ କରିବ, ତା’ହେଲେ ବିଜେପି ଆସନ୍ତାକାଲି ପୂରା ବେଙ୍ଗଲକୁ ବନ୍ଦ କରିବ।” କୋଲକାତା ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଆଜି ମମତାଙ୍କ ଗଡ଼ରେ ମହାବିକ୍ଷୋଭ ହୋଇଛି। ବିଭିନ୍ନ ଛାତ୍ର ସଂଗଠନ ମମତାଙ୍କ ଇସ୍ତଫା ଦାବିରେ ଦୁଇଟି ପାର୍ଶ୍ୱରୁ ନବାନ୍ନ ଘେରିଉ କରିବାକୁ ଚେଷ୍ଟା କରିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି।

Breaking News