ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇନଷ୍ଟାଷ୍ଟ୍ ମେସେଜିଂ ଆପ୍ ହ୍ବାଟ୍ସଆପ୍ ୪୬ ଦିନ ମଧ୍ୟରେ ଭାରତରେ ୩୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ଅଚଳ କରିଛି। ଜୁନ୍ ୧୬ ତାରିଖରୁ ଜୁଲାଇ ୩୧ ତାରିଖ ମଧ୍ୟରେ କମ୍ପାନି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତ ସରକାରଙ୍କ ନୂଆ ଆଇଟି ନିୟମ ଅନୁଯାୟୀ କମ୍ପାନି ଦାଖଲ କରିଥିବା ରିପୋର୍ଟରେ ଏହା ଦର୍ଶାଇଛି। କମ୍ପାନି ଉପରୋକ୍ତ ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ୩୦ ଲକ୍ଷ ୨୭ ହଜାର ଆକାଉଣ୍ଟକୁ ରଦ୍ଦ କରିଛି। ଉକ୍ତ ଅବଧିରେ କମ୍ପାନି ୫୯୪ଟି ଅଭିଯୋଗ ପାଇଛି ବୋଲି କହିଛି। ସ୍ବୟଂକ୍ରିୟ ମେସେଜ୍ର ଅଣସ୍ବୀକୃତ ବ୍ୟବହାର ସମେତ ଅନ୍ୟାନ୍ୟ ଅଭିଯୋଗରେ କମ୍ପାନି ଉକ୍ତ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଛି। ୫୯୪ଟି ଅଭିଯୋଗ ମଧ୍ୟରୁ ୭୪ଟି ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କାର୍ଯ୍ୟାନୁଷ୍ଠାନ ଅର୍ଥ ନିଷିଦ୍ଧ କରାଯାଇଛି କିମ୍ବା ପୁନଃକାର୍ଯ୍ୟକ୍ଷମ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଫେସବୁକ, ହ୍ବାଟ୍ସଆପ୍, ଟ୍ବିଟର ଭଳି ୫୦ ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିବା ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପାଇଁ ଆଇଟି ନିୟମ ୨୦୨୧ ଅନୁଯାୟୀ ମାସକୁ ମାସ ନିୟମ କାର୍ଯ୍ୟକାରୀ ରିପୋର୍ଟ ପ୍ରକାଶ କରାଯିବାକୁ କୁହାଯାଇଛି। ତେଣୁ ଏହି ନିୟମ ଅନୁଯାୟୀ ଆମେ ଜୁନ ୧୬ରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୪୬ ଦିନର ରିପୋର୍ଟ ପ୍ରକାଶ କରିଛୁ ବୋଲି ହ୍ବାଟ୍ସଆପ୍ର ପ୍ରବକ୍ତା କହିଛନ୍ତି। ନୂଆ ଆଇଟି ନିୟମ ମେ ମାସ ୨୬ ତାରିଖରୁ କାର୍ଯ୍ୟକାରୀ ହୋଇଛି। କେତେ ଅଭିଯୋଗ ଆସିଛି ଏବଂ କେତୋଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହାର ବିସ୍ତୃତ ସୂଚନା ଦେବାର ପ୍ରାବଧାନ ଏଥିରେ ରହିଛି।
More Stories
ଅର୍ଚ୍ଚନାଙ୍କ ଘରେ ପଶିଲା ED…..
ଆଇଏଏସ୍ ସ୍ତରରେ ଅଦଳବଦଳ……
ବାତ୍ୟାକୁ ନେଇ ଆସିଲା ବଡ ଖବର…..