ରିପୋର୍ଟ କାର୍ଡ / ଭୁବନେଶ୍ବର
ଭୁବନେଶ୍ବର ଭୀମଟାଙ୍ଗୀରେ ଘଟିଥିବା ମହିଳାଙ୍କ ବୀଭତ୍ସ ହତ୍ୟାର ଫିଟୁଛି ଗୁମର | ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । କହିଛନ୍ତି ଘଟଣାର ଅଧିକ ତଦନ୍ତ ପାଇଁ ଏକ ସ୍ପେଶାଲ ଟିମ୍ ଯାଜପୁର ଯାଇଛି । ଏହି ଟିମ୍ ପ୍ରିୟଙ୍କା ଏବଂ ଜଗନ୍ନାଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରିବ । ଏବେ ଜଗନ୍ନାଥ ବିପଦମୁକ୍ତ ଥିବା ବେଳେ ଆଉ କିଛି ଦିନ ତାର ଚିକିତ୍ସା ଚାଲିବ ବୋଲି ଡିସିପି କହିଛନ୍ତି । ପ୍ରିୟଙ୍କା ଓ ଜଗନ୍ନାଥ ପରସ୍ପରକୁ ଜାଣିଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିଲା । ସୋମବାର ଯୋଜନାବଦ୍ଧ ଭାବେ ଜଗନ୍ନାଥ ପ୍ରିୟଙ୍କାଙ୍କ ଘରକୁ ଆସିଥିଲା । ମିଳିଥିବା ଚିଠି ଅନୁସାରେ ପ୍ରଥମେ ପୁଅକୁ ମାରିଥାନ୍ତା ଜଗନ୍ନାଥ । ପୁଅକୁ ମାରିଲା ପରେ ପ୍ରିୟଙ୍କାଙ୍କୁ ମାରି କରିଥାନ୍ତା ଆତ୍ମହତ୍ୟା । ତେବେ ପୋଲିସକୁ ମିଳିଥିବା ଚିଠିକୁ ଫରେନସିକ୍ ଲ୍ୟାବ୍ ପଠାଯିବ ବୋଲି ସୂଚନା ମିଳିଛି । ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବ ସମ୍ପର୍କ । ଏକଥା ନିଜେ କହିଛନ୍ତି ଅଭିଯୁକ୍ତଙ୍କ ମା’ସାବିତ୍ରୀ ପ୍ରଧାନ। ମୃତ ମହିଳା ପ୍ରିୟଙ୍କାଙ୍କ ସହ ତାଙ୍କ ପୁଅ ଜଗନ୍ନାଥଙ୍କ ନିବିଡ଼ ସମ୍ପର୍କ ଥିଲା ବୋଲି ସେ କହିଛନ୍ତି। ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ ପ୍ରିୟଙ୍କା। ତେବେ ପ୍ରିୟଙ୍କାଙ୍କ ବିବାହ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହି ନଥିଲା। ଗତବର୍ଷ ଲକଡାଉନ୍ ପରେ ଉଭୟଙ୍କ ମଧ୍ୟରେ ପୁଣି ସମ୍ପର୍କ ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଅଭିଯୁକ୍ତଙ୍କ ମା |ଉଲ୍ଲେଖଯୋଗ୍ୟ ଯେ, ସୋମବାର ଭୁବନେଶ୍ବର ଭୀମଟାଙ୍ଗି କଲୋନୀ ଫେଜ୍ ଓ୍ବାନ୍ ସ୍ଥିତ ନିଜ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମହିଳାଙ୍କ ମୃତଦେହ ନିକଟରେ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ ହିଁ ସଂପୃକ୍ତ ମହିଳାଙ୍କ ହତ୍ୟାକାରୀ ଥିଲେ । ମହିଳା ଓ ତାଙ୍କର ଏକ ଛୋଟ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ପିଲାଟି ଅଭିଯୁକ୍ତ କବଳରୁ ବର୍ତ୍ତିଯାଇଥିଲା । ହୋସ୍ ଆସିବା ପରେ ସତ ମାନିଥିଲା ଅଭିଯୁକ୍ତ । ମର୍ଡର ପରେ ଭିଡିଓ କଲ୍ କରିଥିଲା ହତ୍ୟାକାରୀ । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପରେ ଅଫିସରେ ଥିବା ତାଙ୍କ ସ୍ବାମୀଙ୍କ ପାଖକୁ ଭିଡିଓ କଲ୍ କରିଥିଲା ଅଭିଯୁକ୍ତ ଜଗନ୍ନାଥ । ଭିଡିଓ କଲ୍ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ନିଜ ପତ୍ନୀକୁ ଦେଖି ଘର ମାଲିକଙ୍କୁ ଫୋନ୍ କରିଥିଲେ ମୃତ ମହିଳାଙ୍କ ସ୍ବାମୀ । ଘରମାଲିକ ତଳକୁ ଆସି ମହିଳାଙ୍କ କବାଟ ଭିତରପଟୁ ଲକ୍ ଥିବା ଦେଖିବାକୁ ପାଇଥିଲେ । ଏହାପରେ କବାଟ ଭାଙ୍ଗି ଭିତରକୁ ପଶିବା ପରେ ମୃତ ମହିଳାଙ୍କ ପାଖରେ ଜଣେ ଯୁବକଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ପୋଲିସକୁ ଫୋନ୍ କରିଥିଲେ ।
Discussion about this post