ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟୋକିଓ ଅଲିମ୍ପିକ୍ସ ୨୦୨୦ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିବା ଭାରତୀୟ କ୍ରୀଡାବିତ ନିରଜ ଚୋପ୍ରା ବିଜ୍ଞାପନ ପାଉଣା ୧୦୦୦% ବୃଦ୍ଧି କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସଫଳତା ତାଙ୍କ ଲୋକପ୍ରିୟତାକୁ ଶୀର୍ଷରେ ପହଞ୍ଚାଇଛି ଏବଂ ଅନେକ ତାଙ୍କୁ ଦେଶର କ୍ରୀଡା କ୍ଷେତ୍ରରେ ପୋଷ୍ଟର ବୟ ଭାବରେ ଦେଖିବା ଆରମ୍ଭ କରିଦେଇଛନ୍ତି। ଏହା ତାଙ୍କପାଇଁ ଆର୍ଥିକ ଫାଇଦା ମଧ୍ୟ ଆଣିବାରେ ଲାଗିଛି। ଅନେକ ସଂସ୍ଥା ତାଙ୍କୁ ବିଜ୍ଞାପନରେ ନେବାକୁ ଆଗ୍ରହ ପ୍ରକାଶ କରୁଥିବାବେଳେ ନିରଜ ନିଜର ବିଜ୍ଞାପନ ପାଉଣା ୧୦୦୦ ପ୍ରତିଶତ ବଢାଇ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ବିଜ୍ଞାପନ କରି ସର୍ବାଧିକ ପ୍ରାପ୍ୟ ନେବାରେ ଭାରତର କ୍ରିକେଟ ତାରକା ବିରାଟ କୋହଲି ସର୍ବାଗ୍ରେ ରହିଛନ୍ତି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ବିଜ୍ଞାପନରେ ସ୍ଥାନପାଇ ବାର୍ଷିକ ୧୫ରୁ ୨୫ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ନିରଜ ସଂପ୍ରତି ତାହାର ୧୦ ଗୁଣ ମୂଲ୍ୟରେ ବିଜ୍ଞାପନ ପାଇଁ ଚୁକ୍ତିବଦ୍ଧ ହେବେ ବୋଲି ଜଣାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବିଜ୍ଞାପନ ପାଉଣା ୧୦ ଗୁଣ ବୃଦ୍ଧି କରିବା ଭାରତୀୟ କ୍ରୀଡା ଜଗତରେ ଏକ ଅତୁଳନୀୟ ଘଟଣା ହେବ। ବିଶେଷକରି ବ୍ୟକ୍ତିଗତ କ୍ରୀଡା ଇଭେଣ୍ଟରେ ସଫଳତା ପାଇବା ପରେ ଏଭଳି ମୂଲ୍ୟବୃଦ୍ଧି ପ୍ରଥମ କରି ହେବାକୁ ଯାଉଛି। ବିରାଟ କୋହଲି ସମ୍ପ୍ରତି ପ୍ରତ୍ୟେକ ବିଜ୍ଞାପନ ପାଇଁ ୧ କୋଟିରୁ ୫ କୋଟି ଟଙ୍କା ଦାବି କରୁଛନ୍ତି। ଏବେ ନିରଜ ନିଜର ପାଉଣା ବଢାଇଦେଇ ପ୍ରାୟ ବିରାଟଙ୍କ ସମକକ୍ଷ ହୋଇଛନ୍ତି। ନିରଜ ଖୁବଶୀଘ୍ର ନାଇକି, ସ୍ପୋର୍ଟସ ପାନୀୟ ଗାଟୋରେଡ, ଏକ୍ସନମୋବିଲ ଏବଂ ମସଲବ୍ଲେଜ ଭଳି ବ୍ରାଣ୍ଡ୍ ପାଇଁ ବିଜ୍ଞାପନ କରିବାକୁ ଚୁକ୍ତିବଦ୍ଧ ହେବେ ବୋଲି ଜଣାଯାଇଛି। ଇତିମଧ୍ୟରେ ନିରଜ ମଦ୍ୟ ଏବଂ ତମାଖୁ ଭଳି ବ୍ରାଣ୍ଡ୍ ର ବିଜ୍ଞାପନ ନକରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି ।
More Stories
‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ….
ଲୁସାନେ ଡାଇମଣ୍ଡ ଲିଗ୍ ଦ୍ୱିତୀୟରେ ନୀରଜ ଚୋପ୍ରା……
ନବୀନଙ୍କୁ ଭେଟିଲେ ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକିଦଳ…..