Report Card Odisha

| Daily Odia News

ରାଜଧାନୀରେ ପ୍ରତିଷ୍ଠା ହେବ ବାୟୋଗ୍ୟାସ୍ ପ୍ଲାଣ୍ଟ୍…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ କୁ ଆବର୍ଜନା ଦୁର୍ଗନ୍ଧରୁ ମିଳିବ ମୁକ୍ତି | ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ବାୟୋଗ୍ୟାସ୍ ପ୍ଲାଣ୍ଟ୍ । ଏଣିକି ବର୍ଜ୍ୟବସ୍ତୁରୁ ନିର୍ଗତ ଗ୍ୟାସରେ ଗାଡି ଚାଲିବା ସହିତ ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯିବ। ଏହା ସହିତ ଡମ୍ପିୟାର୍ଡରେ ମାସ ମାସ ଧରି ପଡି ରହୁଥିବା ଅଳିଆ ଆବର୍ଜ୍ଜନାର ଦୁର୍ଗନ୍ଧରୁ ମୁକ୍ତି ପାଇବେ ରାଜଧାନୀବାସୀ। ଏନେଇ ଭୁବନେଶ୍ଵର ମହାନଗର ନିଗମ ଓ ଅଏଲ ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୧୭୫ କୋଟି ଟଙ୍କା ବ୍ୟୟରେ ୨୦୦ଟି ପିଡି ବିଶିଷ୍ଟ କମ୍ପ୍ରେସଡ୍ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥିପାଇଁ ରାଜ୍ୟ ସରକାର ୮ଏକର ଜମି ଯୋଗାଇଦେବେ। ପ୍ଲାଣ୍ଟ ପାଇଁ ଅଏଲ ଇଣ୍ଡିଆ ଲିମିଟେଡ ଆର୍ଥିକ ସହାୟତା ଯୋଗାଇବା ସାଙ୍ଗକୁ ବୈଷୟିକ ଜ୍ଞାନକୌଶଳ, ଉତ୍ପାଦିତ ସାମଗ୍ରୀର ବିକ୍ରି ଓ ରିକ୍ସ ମ୍ୟାନେଜମେଣ୍ଟ ପାଇଁ ମଧ୍ୟ ସହାୟତା ଯୋଗାଇଦେବ। ସୂଚନା ଅନୁଯାଇ, ବର୍ତ୍ତମାନ ଭୁବନେଶ୍ବରରୁ ଦୈନିକ ୩୮୦ ଟନ୍ ଓଦା ବର୍ଜ୍ୟବସ୍ତୁ ବାହାରୁଥିବା ବେଳେ ଏଥିରୁ ୧୨୦ ଟନ୍ ବର୍ଜ୍ୟବସ୍ତୁ ବୈଜ୍ଞାନିକ ପଦ୍ଧତିରେ ୩୭ଟି ମାଇକ୍ରୋ କମ୍ପୋଟିଂ ସେଣ୍ଟର୍‌ରେ ପ୍ରକ୍ରିୟାକରଣ କରାଯାଉଛି । ଅବଶିଷ୍ଟ ୨୬୦ ଟନ୍‌ ପାରମ୍ପାରିକ ଭାବରେ ୱିଣ୍ଡୋ କମ୍ପୋଷ୍ଟି ସେଣ୍ଟରରେ ପ୍ରକ୍ରିୟାକରଣ କରାଯାଉଛି, ଏହି ବର୍ଜ୍ୟକୁ ପ୍ରକ୍ରିୟାକରଣ କରି ସେଥୁରୁ ବାୟୋ ଗ୍ୟାସ୍‌ ଉତ୍ପାଦନ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ ହେଉଥିବାରୁ ଏହି ପ୍ରକଳ୍ପ ପରିବେଶ ଅନୁକୂଳ। ଏହା ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସ୍ବଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବ ଏବଂ ଭୁବନେଶ୍ବର ମହାନଗର ନିଗମ ଅଂଚଳ ନାଗରିକଙ୍କ ଜୀବନ ଧାରଣ ମାନ ବୃଦ୍ଧି କରିବା ଦିଗରେ ଏହା ଗୁରୁତ୍ବପୂର୍ଣ୍ଣ ସଫଳତା ହାସଲ କରିବ ବୋଲି ଲକ୍ଷ୍ୟ ରଖାଯାଇଛି |

Breaking News