ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯିଏ ଯେତେ ପ୍ରତିଶୋଧ ପରାୟଣ ହେଲେ ବି ସୌମ୍ୟରଂଜନଙ୍କର କିଛି ବିଗାଡ଼ି ପାରିବେନି। ରାଜ୍ୟ ସରକାର ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଉଦ୍ଦେଶ୍ୟ ପ୍ରଣୋଦିତ। ହେଲେ ଏଥିରେ ସଫଳ ହେବେନି। ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଓ ବରିଷ୍ଠ ଅଧିକାରୀଙ୍କ ନାଁରେ ଇଓଡବ୍ଲ୍ୟୁରେ ଅଭିଯୋଗ ହେବା ପରେ ଏଭଳି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ | ସୌମ୍ୟ ବାବୁ ଦଳର ମଙ୍ଗଳ ପାଇଁ ଦଳୀୟ ଫୋରମରେ କହିବାର ସୁଯୋଗ ପାଇଲେ ନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ବାଟ ନପାଇବାରୁ ତାଙ୍କ ମନକଥା ସମ୍ପାଦକୀୟରେ ଲେଖିଲେ। ତେଣୁ ତାଙ୍କୁ ଏବେ ଭୟଭୀତ କରିବାକୁ ଚେଷ୍ଟା କରାଯାଉଛି। ବିକଳରେ ବିଜେଡି ତାଙ୍କୁ ଉପ ସଭାପତି ପଦରୁ ହଟାଇ ଦେଇଛି। ଏହାସହ ସେ କହିଛନ୍ତି ଯେ ମୋ ବିରୋଧରେ ଯେପରି ରାଜ୍ୟ ସରକାର ଆକ୍ରୋଶମୂଳକ ପଦକ୍ଷେପ ନେଉଥିଲେ ଠିକ୍ ସେହିପରି ସୌମ୍ୟବାବୁଙ୍କ ବିରୋଧରେ ନେଉଛନ୍ତି। ପୂର୍ବରୁ ମଧ୍ୟ ଅନେକ ନେତାଙ୍କୁ ଏମିତି ହଇରାଣ କରାଯାଇଛି। ସୌମ୍ୟ ବାବୁଙ୍କୁ ବିଜେଡି ଉପ ସଭାପତି ପଦରୁ ହଟାଯିବା ନେଇ ଜାରି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତକୁ ନେଇ ସନ୍ଦେହ ଉପୁଜିଥିଲା। ଏଭଳି ସନ୍ଦେହ ସାଧାରଣରେ ରହିଛି। ଏହାକୁ ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଦିନେ ସଂଧ୍ୟାରେ ଭୁବନେଶ୍ବରରେ ବିନା ପୋଲିସରେ ଘଣ୍ଟାଟିଏ ବୁଲି ଆସନ୍ତୁ। ଲୋକଙ୍କ ଠାରୁ ସେମାନଙ୍କ ଅଭିଯୋଗ ଶୁଣନ୍ତୁ। ଯଦି ମୁଖ୍ୟମନ୍ତ୍ରୀ ଏତିକି କରିଦେବେ ମୁଁ ନିଜକୁ ସମର୍ପଣ କରିଦେବି। ଏହାସହ ସେ କହିଛନ୍ତି ଯେ ଏଠାରେ ବାସ୍ତବରେ ପ୍ରଶାସକ ଆତ୍ମବିଭୋର ହେଉଥିବାବେଳେ ନେତା ଅସହାୟ ପାଲଟି ଯାଇଛନ୍ତି। ବିଜେଡିରେ ୧୧୨ରୁ ୧୧୦ ବିଧାୟକ କାନ୍ଦୁଛନ୍ତି। ଏଥିପାଇଁ ବିଧାୟକଙ୍କ ଏକ ସଂଘ ଗଠନ କରାଯାଉ। ଫଳରେ ସରକାର ମନଇଚ୍ଛା କୌଣସି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ରାଜ୍ୟରେ କିଭଳି ଗଣତନ୍ତ୍ରକୁ ହତ୍ୟା କରାଯାଉଛି ତା’ର ଉଦାହରଣ ଦେବାକୁ ଯାଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଦୀର୍ଘଦିନ ହେଲା ବିଧାନସଭା ବାଚସ୍ପତି ନିର୍ବାଚନ ନହେବା ସରକାରଙ୍କ ମାନସିକତାକୁ ଦର୍ଶାଉଛି। ଏହାସହ ସେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଓ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉଦାହରଣ ଦେଇ ତାଙ୍କୁ କିପରି ନିର୍ଯାତନା ଦିଆଯାଇଛି ତାହା କହିଛନ୍ତି। ସେହିପରି ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ସୌମ୍ୟଙ୍କ ବିରୋଧରେ ମିଛ ପ୍ରଚାର କରାଯାଉଛି। ସେ ହିମାଳୟ ସଦୃଶ। ତାଙ୍କ ଉପରକୁ ଟେକାଟିଏ ଫୋପାଡ଼ିଲେ ତାହା ତୁମ ଉପରକୁ ଛିଟିକିବ। ହେଲେ ତାଙ୍କର କିଛି ହେବନି।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..