Report Card Odisha

| Daily Odia News

ବିଜେଡି ଏବେ ଚୂରମାର ଅବସ୍ଥାରେ,କଂଗ୍ରେସ ପାଇଁ ଶୁଭଙ୍କର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିଜେଡି ଏବେ ଚୂରମାର ଅବସ୍ଥାରେ ବୋଲି କଂଗ୍ରେସ ବିଧାୟକଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି। ସେ କହିଛନ୍ତି, ବିଜେଡି ଏବେ ଓ୍ବକଫ୍‌ ବିଲ୍‌କୁ ନେଇ ଦୁଇଫାଳ ହୋଇଯାଇଛି। ବିଜେଡି ଏବେ ବିଜୁଙ୍କ ଆଦର୍ଶରେ ଯାଉନାହିଁ। ଗୋଟିଏ ଦଳ ନବୀନଙ୍କ ସାଥିରେ ରହିଥିବାବେଳେ ଆଉ କେତେକେ ପାଣ୍ଡିଆନଙ୍କୁ ସୁରକ୍ଷା ଦେଉଛନ୍ତି। ପୂର୍ବରୁ ଏଭଳି ବିଶୃଙ୍ଖଳା ହେଉଥିଲେ ହେଁ ବାହାରକୁ ଆସୁ ନ ଥିଲା। ଏବେ ତାହା ଫୁଟିକି ବାହାରୁଛି। କର୍ମୀ ଓ ନେତାଙ୍କ ଅସନ୍ତୋଷ ନବୀନ ନିବାସରେ ପହଞ୍ଚିଲାଣି। ଆଗାମୀ ଦିନରେ ଏହା ବିସ୍ଫୋରକ ପରିସ୍ଥିତି ଆଡ଼କୁ ଯିବ। ସେ କହିଛନ୍ତି, ରାଜ୍ୟରେ ଗତ ୨୪ବର୍ଷ ଧରି ବିଜେଡି ସରକାର ଯେଉଁ ଖଣି ଖାଦାନ ଲୁଟ୍‌ କରିଛି, ସେଥିରୁ କିଛି ଅଂଶ ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ହେଲେ ଯେଉଁ ବିପୁଳ ଅର୍ଥ ଲୁଟ୍‌ ହୋଇଛି ତାହାକୁ ନେଇ ଦଳ ବିଭାଜନ ହେବ ଏବଂ କଂଗ୍ରେସ ଓଡ଼ିଶାରେ ସରକାର କରିବ ବୋଲି କାଡାମ କହିଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ୧୯୯୮ରେ ନବୀନବାବୁ ଓଡ଼ିଶା ରାଜନୀତିରେ ପାଦ ଦେଇଥିଲେ। ସେତେବେଳଠାରୁ ଆଜି ପର୍ଯ୍ୟନ୍ତ କେହି ନବୀନ ନିବାସରେ ପଶିବାକୁ ସାହସ କରିପାରୁ ନ ଥିଲେ। ପ୍ରଥମଥର ପାଇଁ ନବୀନ ନିବାସରେ ପାଣ୍ଡିଆନ୍‌ ଗୋ-ବ୍ୟାକ୍‌ ସ୍ବର ଶାଣିତ ହୋଇଛି। ଏହା କଂଗ୍ରେସ ପାଇଁ ଶୁଭଙ୍କର। ଆଗାମୀ ଦିନରେ ବିଜେଡି ଦୁଇଭାଗ ହେବ। ଗୋଟିଏ ବିଜୁବାବୁଙ୍କ ଦଳ, ଅନ୍ୟଟି ପାଣ୍ଡିଆନଙ୍କ ଦଳ। ଭାଜପା ଯେଉଁ ଖେଳ ଖେଳୁଛି ଆଗାମୀ ଦିନରେ ଲୋକେ ତା’ର ଜବାବ ଦେବେ ବୋଲି ତାରା କହିଛନ୍ତି।

Breaking News