Report Card Odisha

| Daily Odia News

ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବ ବିଜେଡି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ। ଏହି ଉଦ୍‌ଘାଟନୀ ଉତ୍ସବକୁ ନେଇ ବିବାଦ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ପରିବର୍ତ୍ତେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ସଂସଦ ଭବନ ଉଦ୍‌ଘାଟନ କରନ୍ତୁ ବୋଲି ବହୁ ବିରୋଧୀ ଦଳ ଦାବି କରୁଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଫଳରେ ଉଦ୍‌ଘାଟନୀ ଉତ୍ସବକୁ କଂଗ୍ରେସ ସମେତ ମୋଟ୍‌ ୧୯ଟି ବିରୋଧୀ ଦଳ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ଏହି ବିବାଦରେ ବିଜେଡିର ଆଭିମୁଖ୍ୟ ଉପରେ ଜାତୀୟ ସ୍ତରରେ ରାଜନୈତିକ ମହଲର ନଜର ରହିଥିଲା। ଆଜି ସନ୍ଧ୍ୟାରେ ବିଜେଡି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଉଦ୍‌ଘାଟନୀ ସମାରୋହରେ ବିଜେଡି ସାମିଲ ହେବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଏକ ପ୍ରେସ୍ ବିବୃତି ଜାରି କରି ବିଜେଡି ସାମିଲ ହେବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, ଭାରତର ରାଷ୍ଟ୍ରପତି ରାଷ୍ଟ୍ରର ମୁଖ୍ୟ। ସଂସଦ ଭାରତର ୧୪୦ କୋଟି ଲୋକଙ୍କ ପ୍ରତିନିଧିତ୍ବ କରୁଛି। ଦୁଇଟି ଯାକ ଅନୁଷ୍ଠାନ ଭାରତୀୟ ଗଣତନ୍ତ୍ର ପ୍ରତୀକ। ଭାରତୀୟ ସମ୍ବିଧାନ ସେମାନଙ୍କୁ ଆବଶ୍ୟକ କ୍ଷମତା ଦେଇଛି। ସେମାନଙ୍କ କ୍ଷମତା ଓ ସ୍ଥିତି ସବୁବେଳେ ସୁରକ୍ଷିତ ରହିବା ଦରକାର। ଏହି ସାମ୍ବାଧାନିକ ସଂସ୍ଥାର ପବିତ୍ରତା ଓ ସମ୍ମାନକୁ କ୍ଷୂଣ୍ଣ କରୁଥିବା ଯେ କୌଣସି ପ୍ରସଙ୍ଗ ଠାରୁ ଏହି ଦୁଇଟି ସଂସ୍ଥା ଊର୍ଧ୍ବରେ ବୋଲି ବିଜେଡି ବିଶ୍ବାସ କରେ। ଏପରି ପ୍ରସଙ୍ଗକୁ ନେଇ ପରବର୍ତ୍ତୀ ସମୟରେ ଗୃହରେ ବିତର୍କ କରାଯାଇପାରେ। ତେଣୁ ବିଜେଡି ଏହି କାର୍ଯ୍ୟକ୍ରମରେ ସାମିଲ ହେବ।

Breaking News