ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରରେ ଉଭୟ ବିଜେପି ଓ ଶିବସେନା କ୍ଷମତାରେ ଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର ନେତା। ଉଲ୍ଲାସନଗରର ହିଲ୍ ଲାଇନ୍ ପୋଲିସ ଥାନା ପରିସରରେ ବିଜେପି ଓ ଶିବସେନା ନେତା ମୁହାଁମୁହିଁ ହୋଇଥିବା ବେଳେ ଗୁଳିମାଡ଼ ହୋଇଛି । ବିଜେପି ବିଧାୟକ ଗଣପତ ଗାୟକୱାଡଙ୍କ ଗୁଳିରେ ଶିବସେନା ନେତା ମହେଶ ଗାୟକୱାଡ ଗୁରୁତର ହୋଇଛନ୍ତି। ତାଙ୍କ ଶରୀରରେ ୪ଟି ଗୁଳି ବାଜିଛି। ଏଥିସହ ତାଙ୍କ ଦଳର ଅନ୍ୟ ଜଣେ ନେତା ରାହୁଲ ପାଟିଲ ବି ଏଥିରେ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜେପି ବିଧାୟକଙ୍କୁ ଗିରଫ କରିଥିଲା | ଏହାପରେ ବିଜେପି ବିଧାୟକ ଗଣପତ ଗଣମାଧ୍ୟମରେ କହିଛନ୍ତି କି ‘ହଁ ମୁଁ ତାଙ୍କୁ ନିଜେ ଗୁଳିମାଡ କରିଛି। ଏଥିପାଇଁ ମୋର କୌଣସି ପଶ୍ଚାତପ ନାହିଁ କି ମୁଁ ଦୁଃଖିତ ନୁହେଁ। ଯଦି ମୋ ପୁଅକୁ ଥାନା ଭିତିରେ ପୋଲିସ ଆଗରେ ମାଡ ମରାଯିବ, ତା’ହେଲେ ମୁଁ କ’ଣ କରିଥାନ୍ତି।’ ଏହି ବିଜେପି ବିଧାୟକ ଜଣକ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ମହାରାଷ୍ଟ୍ରକୁ ଅପରାଧୀମାନଙ୍କ ସାମ୍ରାଜ୍ୟ କରିବାକୁ ଚେଷ୍ଟା ଚାଲିଛି। ସିନ୍ଧେ ସାହେବ ଉଦ୍ଧବ ସାହେବଙ୍କୁ ଧୋକା ଦେଇଛନ୍ତି। ସେ ବିଜେପି ମଧ୍ୟ ଧୋକା ଦେବେ। ତାଙ୍କ ଉପରେ ମୋର କୋଟି କୋଟି ଟଙ୍କା ବାକି ଅଛି। ଯଦି ମହାରାଷ୍ଟ୍ରକୁ ଭଲଭାବେ ଶାସନ କରିବାକୁ ଚାହୁଁଛ ତେବେ ସିନ୍ଧେ ଇସ୍ତଫା ଦେବା ଜରୁରୀ। ପ୍ରଧାନମନ୍ତ୍ରୀ ମୋଦି ଓ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଏହା ମୋର ଅନୁରୋଧ ବୋଲି କହିଛନ୍ତି ଗଣପଥ ଗାଏକ୍ୱାଡ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..