Report Card Odisha

| Daily Odia News

ଆଜି ବିଜେପିର ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ପ୍ରତିବାଦରେ ଦୁଇ ସପ୍ତାହ ହେଲା ପଶ୍ଚିମବଙ୍ଗରେ ବିକ୍ଷୋଭ, ଶୋଭାଯାତ୍ରା ଲାଗି ରହିଛି। ଏହି କ୍ରମରେ ମଙ୍ଗଳବାର ପଶ୍ଚିମବଙ୍ଗ ଛାତ୍ର ସମାଜ ଓ ସଂଗ୍ରାମୀ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ନବାନ୍ନ ଅଭିଯାନ କରାଯାଇଛି। ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଶୋଭାଯାତ୍ରାରେ ବାହାରି ରାଜ୍ୟ ସଚିବାଳୟ (ନବାନ୍ନ)ଅଭିମୁଖେ ଯାଇଥିଲେ। ତେବେ ରାଜ୍ୟ ପ୍ରଶାସନ ପୁଲିସ ବଳ ପ୍ରୟୋଗ ପୂର୍ବକ ଅଭିଯାନକୁ ବିଭିନ୍ନ ସ୍ଥାନରେ ଅଟକାଇଥିଲା। ବିଭିନ୍ନ ସ୍ଥାନରେ ପୁଲିସ ବାରିକେଡ କରି ବିକ୍ଷୋଭକାରୀଙ୍କୁ ଅଟକାଇବା ସହ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ପାଣି ଓ ଲାଠିମାଡ କରିଥିଲା। ଏପରି କି ବିଭିନ୍ନ ସ୍ଥାନରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। କେତେକ ସ୍ଥାନରେ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ଟେକାପଥର ମାଡ କରିଥିଲେ। ସଂଘର୍ଷରେ ୧୫ଜଣ ଆହତ ହୋଇଛନ୍ତି। ପୁଲିସ ୧୨୬ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୧୦୨ ପୁରୁଷ ଓ ୨୩ଜଣ ମହିଳା ଅଛନ୍ତି। ପୁଲିସର ଏପରି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିଜେପି ଆଜି (ବୁଧବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଦେଇଛି। ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି ଯେ ମମତା ବାନାର୍ଜୀଙ୍କ ନେତୃତ୍ବ ପଶ୍ଚିମବଙ୍ଗ ସରକାରଙ୍କ ଏକଛତ୍ରବାଦ ଶାସନ ବିରୋଧରେ ଦଳ ଏହି ବନ୍ଦ ପାଳନ କରିବ। ମୃତ ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦେବା ଲାଗି ରାଜ୍ୟବାସୀ ଆନ୍ଦୋଳନ କରିଆସୁଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ କର୍ଣ୍ଣପାତ କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବା ପରିବର୍ତ୍ତେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ପୁଲିସ ଲଗାଇ ମାଡ ମାରୁଛନ୍ତି। ପଶ୍ଚିମବଙ୍ଗ ଛାତ୍ର ସମାଜ ମୁଖପାତ୍ର ସାୟନ ଲାହିରି କହିଛନ୍ତି ଯେ ଆମେ ଶାନ୍ତିପୂର୍ଣ୍ଣ ଭାବେ ଆମର ଦାବି ଉପସ୍ଥାପନ କରିବାକୁ ଯାଇଥିଲୁ। ପୁଲିସ ଓ ଟିଏମସି ଆମ ବିରେଧରେ ମିଥ୍ୟା ଅଭିଯୋଗ କରୁଛନ୍ତି। ଆମକୁ ଯଦି ଶାନ୍ତିପୂର୍ଣ୍ଣ ଭାବେ ଦାବି ଉପସ୍ଥାପନ କରିବାର ସୁଯୋଗ ଦିଆଯିବ ନାହିଁ ତେବେ ଆମେ ହିଂସାର ରାସ୍ତା ଆପଣାଇବୁ। ନବାନ୍ନ ଅଭିଯାନ ଅଣରାଜନୈତିକ ସଂଗଠନ ପକ୍ଷରୁ କରାଯାଇ ନଥିଲା। ଏହି ସଂଗଠନ ବିଜେପି, ଆରଏସଏସ୍ କିମ୍ବା ଏବିଭିପି ସହିତ ଅନୁବନ୍ଧିତ ନୁହେଁ। ଆଜିର ଛାତ୍ର ଆନ୍ଦୋଳନକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସମର୍ଥନ କରିଥିବାବେଳେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। କଲକାତା ପୁଲିସର ଅତିରିକ୍ତ କମିସନର ସୁପ୍ରତିମ୍ ସରକାର କହିଛନ୍ତି ଯେ ନବାନ୍ନ ଘେରାଉ ପାଇଁ ପଶ୍ଚିମବଙ୍ଗ ଛାତ୍ର ସମାଜ ପକ୍ଷରୁ ଯେଉଁ ଆବେଦନ କରାଯାଇଥିଲା ତାକୁ ଅନୁମତି ଦିଆଯାଇ ନଥିଲା। ମାତ୍ର ଛାତ୍ର ସମାଜ ସୋସିଆଲ ମିଡିଆ ଓ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ଆନ୍ଦୋଳନ କରିବାକୁ ଘୋଷଣା କରିଥିଲା। ପ୍ରଶାସନର ବିନା ଅନୁମତିରେ ଛାତ୍ର ସମାଜ ଶୋଭାଯାତ୍ରା କରିଥିବାରୁ ଏହାକୁ ରୋକାଯାଇଥିଲା ବୋଲି ଅତିରିକ୍ତ କମିଶନର କହିଛନ୍ତି। ସେହିପରି ଏଡିଜି (ଆଇନ ଶୃଙ୍ଖଳା) ମନୋଜ ବର୍ମା କହିଛନ୍ତି ଯେ ଛାତ୍ର ସମାଜର ବିକ୍ଷୋଭରେ ଅନ୍ୟ କେତେକ ଅସାମାଜିକ ତତ୍ତ୍ବ ସାମିଲ ହୋଇ ହିଂସାକାଣ୍ଡ ଘଟାଇବାର ଯୋଜନା କରିଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ଏଥିପାଇଁ ନବାନ୍ନ ଆଖପାଖରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ (ପୁର୍ବରୁ ୧୪୪ ଧାରା) ଅନୁଯାୟୀ କଟକଣା ଲାଗୁ କରାଯାଇଥିଲା। ତେଣୁ ବିକ୍ଷୋଭକାରୀଙ୍କୁ ରାସ୍ତାରେ ଅଟକାଯାଇଥିଲା। ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ବିଫଳ କରିବା ଲାଗି ଶାସକ ତୃଣମୂଳ କଂଗ୍ରେସ ବ୍ୟାପକ ପ୍ରସ୍ତୁତି କରିଛି। ତୃଣମୂଳ କଂଗ୍ରେସ କହିଛି ଯେ ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସଫଳ ହେବାକୁ ଦିଆଯିବ ନାହିଁ। ବନ୍ଦ ପାଳନ ସମୟରେ ଟ୍ରେନ, ମେଟ୍ରୋ, ବସ୍‌, ଅଟୋ ଓ ଟ୍ୟାକ୍ସି ଚଳାଚଳ ସ୍ବାଭାବିକ ଭାବେ ଚାଲିବ। ସେହିପରି ସ୍କୁଲ ଓ କଲେଜ ମଧ୍ୟ ଖୋଲା ରହିବ। କାରଣ ବନ୍ଦ ଡାକରା ପାଇଁ ଜିଲା ପ୍ରଶାସନ ସ୍କୁଲ, କଲେଜ ବନ୍ଦ ଲାଗି କୌଣସି ନିର୍ଦେଶ ଦେଇନାହିଁ।

Breaking News