ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଶ୍ମୀର ପଣ୍ଡିତମାନଙ୍କୁ କ୍ଷମା ମାଗିଛନ୍ତି ଜମ୍ମୁ ଓ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା । ଦୀର୍ଘ ୧୯୯୦ ମସିହାରେ କଶ୍ମୀର ପଣ୍ଡିତମାନଙ୍କୁ ହତ୍ୟା କରାଯାଉଥିବା ବେଳେ ସେମାନଙ୍କୁ ସୁରକ୍ଷା ଦିଆଯାଇ ପାରି ନଥିବାରୁ ସେ ଆଜି କ୍ଷମା ପାର୍ଥନା କରିଛନ୍ତି | ନ୍ୟାଶନାଲ କନଫରେନ୍ସ ର ସଂଖ୍ୟାଲଘୁ ସେଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଫାରୁକ୍ କ୍ଷମା ମାଗିଥିବା ସୂଚନା ମିଳିଛି । ସେ କହିଛନ୍ତି, ଏନ୍ସି କ୍ଷମତାରେ ଥିବା ବେଳେ କଶ୍ମୀର ପଣ୍ଡିତମାନଙ୍କୁ ଉପତ୍ୟାକାକୁ ଫେରାଇ ଆଣିବା ପାଇଁ ପ୍ରୟାସ କାରାଯାଇଥିଲା। କିନ୍ତୁ କିଛି ଗୋଷ୍ଠୀ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି କରି ପଣ୍ଡିତମାନଙ୍କୁ ହତ୍ୟା କରିଥିଲେ। ଦେଶାନ୍ତର ପରେ କଶ୍ମୀର ପଣ୍ଡିତମାନେ ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ | ସେମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ ବର୍ଣ୍ଣନା କରି ହେବ ନାହିଁ। ସେ ଏହା ମଧ୍ୟ କହିଛନ୍ତି କି , କିଛି ଶକ୍ତି କଶ୍ମୀର ପଣ୍ଡିତ ଓ ମୁସଲମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ସେମାନଙ୍କୁ ଭାଗ ଭାଗ କରିବା ପାଇଁ ଲାଗିଛନ୍ତି। ଏ କାମ ମୁସଲମାନର ନୁହେଁ, ବରଂ ନିଜ ସ୍ୱାର୍ଥ ପାଇଁ ଚିନ୍ତା କରୁଥିବା ବ୍ୟକ୍ତି କରୁଛନ୍ତି। ସେମାନେ ଭାବୁଛନ୍ତି, ପଣ୍ଡିତମାନଙ୍କୁ ବିତାଡ଼ିତ କରିଦେଲେ କଶ୍ମୀର ସେମାନଙ୍କର ହୋଇଯିବ। ସେମାନଙ୍କ ଉଦ୍ୟମ ଯେପରି ସଫଳ ହେବନି, ସେଥିପାଇଁ ମୁଁ ଆଶ୍ୱସନା ଦେଉଛି। ଯେଉଁମାନେ କଶ୍ମୀର ପଣ୍ଡତମାନଙ୍କୁ ଆଶ୍ରୟ ଦେଇଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଆମ ସମସ୍ତଙ୍କୁ ମନ ସଫା କରିବାକୁ ପଡ଼ିବ। ଜମ୍ମୁ ଓ କଶ୍ମୀରକୁ ବଞ୍ଚାଇବାକୁ ପଡ଼ିବ। ରାଜନୈତିକ ଫାଇଦା ପାଇଁ ଆମକୁ ଯେମିତି କେହି ବ୍ୟବହାର କରିପାରିବେ ନାହିଁ, ସେଥିପାଇଁ ସତର୍କ ହେବା ଉଚିତ୍’ ବୋଲି ଫାରୁକ୍ କହିଛନ୍ତି। ଏହା ସହିତ ଏହି କାର୍ଯ୍ୟକ୍ରମରେ ଫାରୁକ ଅବଦୁଲ୍ଲା ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିଜେପି କଶ୍ମୀର ପଣ୍ଡିତମାନଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଛି। ସେମାନଙ୍କ ପାଇଁ ଦଳ କିଛି କରି ନାହିଁ। ନ୍ୟାଶନାଲ କନଫରେନ୍ସ (ଏନ୍ସି)ର ସଂଖ୍ୟାଲଘୁ ସେଲ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ତିନୋଟି ପ୍ରସ୍ତାବ ପାରିତ ହୋଇଥିଲା। ଦଳର ସଂଖ୍ୟାଲଘୁ ପକ୍ଷରୁ କଶ୍ମୀର ପଣ୍ଡିତଙ୍କ ପାଇଁ ରାଜନୈତିକ ସଂରକ୍ଷଣ ପାଇଁ ଦାବି କରାଯାଇଥିଲା। ଏଥିସହ କଶ୍ମୀରରେ ହିନ୍ଦୁ ମନ୍ଦିରକୁ ସୁରକ୍ଷା ଓ କଶ୍ମୀର ଫେରନ୍ତାଙ୍କ ପାଇଁ ଥଇଥାନ ପ୍ୟାକେଜ ଘୋଷଣା କରିବାକୁ ଦାବି କରାଯାଇଥିଲା।





More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..