Report Card Odisha

| Daily Odia News

ଜାନୁଆରୀ ୨୦ ଯାଏ ବିଜେପିରେ ଜାରି ରହିବ ଇସ୍ତଫା ପର୍ବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପରୁ ଜଣଙ୍କ ପରେ ଜଣେ ମନ୍ତ୍ରୀ ଓ ବିଧାୟକ ଇସ୍ତଫା ଦେବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଥିବା ଧର୍ମ ସିଂହ ସାଇନି ଇସ୍ତଫା ଦେଇଛନ୍ତି। ପୂର୍ବରୁ ଆଉ ୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ସେହିପରି ୭ରୁ ୮ ଜଣ ବିଧାୟକ ମଧ୍ୟ ବିଜେପି ଛାଡ଼ିଛନ୍ତି। ଆଜି ଧର୍ମ ସିଂହ ସାଇନି ମନ୍ତ୍ରୀ ପଦ ଛାଡ଼ିବା ପରେ ବଡ଼ ବୟାନ ଦେଇଛନ୍ତି। ପ୍ରତିଦିନ ଜଣେ ମନ୍ତ୍ରୀ ଓ ୨ରୁ ୩ ଜଣ ବିଧାୟକ ବିଜେପିରୁ ଇସ୍ତଫା ଦେବେ। ଏହି ଇସ୍ତଫା ପ୍ରକ୍ରିୟା ଜାନୁଆରୀ ୨୦ ଯାଏ ଚାଲିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, “ଦଳ ଭିତରେ ମୋ କଥା କେହି ନ ଶୁଣିବାକୁ ମୁଁ ଇସ୍ତଫା ଦେଇଛି। ମୁଁ କ’ଣ କହିବାକୁ ଚାହୁଁଥିଲି, ସେକଥା କେହି ବି ଥରେ ବୁଝିଲେନି। ଗୋଟିଏ ସମୟ ଥିଲା ଯେତେବେଳେ ୧୪୦ ଜଣ ବିଧାୟକ ଧାରଣାରେ ବସିଥିଲେ ଓ ସେମାନଙ୍କୁ ଧମକ ଦିଆଯାଇଥିଲା। ଏହି ଧମକ ସମୟରେ ସମସ୍ତେ କେବଳ ଉପଯୁକ୍ତ ପରିସ୍ଥିତିକୁ ଅପେକ୍ଷା କରିଥିଲେ। ଏବେ ସେହି ସମୟ ଆସିଛି। ଆଗକୁ ପ୍ରତିଦିନ ଏପରି ଇସ୍ତଫା ପର୍ବ ଦେଖିବାକୁ ମିଳିବ। ମୁଁ ୟୁପି ସରକାରର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅଖିଲେଶ ଯାଦବଙ୍କୁ ଭେଟିଛି।” କ’ଣ ସେ ସମାଜବାଦୀ ପାର୍ଟିରେ ମିଶିବେ କି? ଏହାର ଉତ୍ତରରେ ଶ୍ରୀ ସାଇନି କହିଛନ୍ତି, “ଏହି ନିଷ୍ପତ୍ତି ଆସନ୍ତାକାଲି ନିଆଯିବ। ସେ ଯାଏ ସମସ୍ତେ ଅପେକ୍ଷା କରନ୍ତୁ।” ଇସ୍ତଫା ଦେଇଥିବା ଶ୍ରୀ ସାଇନି ଯୋଗୀଙ୍କ ସରକାରରେ ଆୟୁଷ, ଖାଦ୍ୟ ସୁରକ୍ଷା ଓ ଡ୍ରଗ ଆଡମିନଷ୍ଟ୍ରେସନ ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ଦାୟିତ୍ୱରେ ଥିଲେ। ଏହାପୂର୍ବରୁ ଯୋଗୀଙ୍କ ମନ୍ତ୍ରିମଣ୍ଡଳରୁ ସ୍ୱାମୀ ପ୍ରସାସ ମୌର୍ଯ୍ୟ ଓ ଦାରା ସିଂହ ଚୌହାନ ଇସ୍ତଫା ଦେଇଥିଲେ। ଏହାବାଦ ବିଜେପି ବିଧାୟକ ବ୍ରିଜେଶ ପ୍ରଜାପତି, ରୋଶନ ଲାଲ ବର୍ମା, ଭଗବତୀ ସାଗର, ମୁକେଶ ବର୍ମା, ବିନୟ ଶାକ୍ୟ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି, “ଦଳ ଭିତରେ ମୋ କଥା କେହି ନ ଶୁଣିବାକୁ ମୁଁ ଇସ୍ତଫା ଦେଇଛି। ମୁଁ କ’ଣ କହିବାକୁ ଚାହୁଁଥିଲି, ସେକଥା କେହି ବି ଥରେ ବୁଝିଲେନି। ଗୋଟିଏ ସମୟ ଥିଲା ଯେତେବେଳେ ୧୪୦ ଜଣ ବିଧାୟକ ଧାରଣାରେ ବସିଥିଲେ ଓ ସେମାନଙ୍କୁ ଧମକ ଦିଆଯାଇଥିଲା।

Breaking News