ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଜଭୁତ ଏବଂ ବ୍ୟାପକ କରିବା ଲାଗି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୩ ସୂତ୍ରୀ ଫର୍ମୁଲା ପ୍ରସ୍ତୁତ କରାଯାଇଛି। ବିଶେଷକରି ନିକଟ ଭବିଷ୍ୟତରେ ନିର୍ବାଚନ ହେବାକୁ ଥିବା ରାଜ୍ୟ ଏବଂ ଦଳ ଯେଉଁସବୁ ଅଂଚଳରେ ଦୁର୍ବଳ ରହିଛି ସେଠାରେ ଉନ୍ନତି ଆଣିବା ଲାଗି ଯୋଜନା ହୋଇଛି। ଏଥିପାଇଁ ୩ଟି ଟାର୍ଗେଟ ରଖାଯାଇଛି। ଏହି ଟାର୍ଗେଟଗୁଡ଼ିକରୁ ପ୍ରଥମଟି ହେଲା ଆସନ୍ତା ଡିସେମ୍ବର ୨୫ ସୁଦ୍ଧା ଦେଶରେ ସମସ୍ତ ୧ ଲକ୍ଷ ୪ ହଜାର ପୁଲିଂ ଷ୍ଟେସନରେ ବୁଥ୍ କମିଟି ସ୍ଥାପନ ହେବ। ଦ୍ବିତୀୟ ଲକ୍ଷ ହେଲା ପନ୍ନା ପ୍ରମୁଖ ବା ଭୋଟର ଲିଷ୍ଟ ଦାୟିତ୍ବରେ ଜଣେ ଲେଖାଏ ବ୍ୟକ୍ତିଙ୍କୁ ସବୁ ରାଜ୍ୟରେ ଆସନ୍ତାବର୍ଷ ଏପ୍ରିଲ ୬ ତାରିଖ ସୁଦ୍ଧା ନିଯୁକ୍ତ କରାଯିବ। ତୃତୀୟ ଲକ୍ଷ୍ୟଟି ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ ଯେଭଳି ଦେଶର ପ୍ରତ୍ୟେକ ଭୋଟ ବୁଥ୍ରେ ୨୦୨୨ ମେ ସୁଦ୍ଧା ପହଞ୍ଚିବ ତାହାକୁ ନିଶ୍ଚିତ କରାଯିବ। ଦିଲ୍ଲୀରେ ଅନୁଷ୍ଠିତ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଗୁଜରାଟରେ ଦଳ ଏକ ପରୀକ୍ଷା କରିଥିଲା। ସେଠାରେ ବୁଥ୍ କମିଟି ବ୍ୟତୀତ ‘ପେଜ୍ କମିଟି’ ଗଠନ ହୋଇଥିଲା। ଡିସେମ୍ବର ୨୫ ସୁଦ୍ଧା ସମସ୍ତ ବୁଥ୍ କମିଟି ପ୍ରସ୍ତୁତ ହୋଇଯିବ। ବର୍ତ୍ତମାନ ପ୍ରାୟ ୮୫ ପ୍ରତିଶତ କମିଟି କାର୍ଯ୍ୟ ଶେଷ ହୋଇଛି। ଏଥିସହିତ ସବୁ ବୁଥ୍ରେ ପନ୍ନା ପ୍ରମୁଖ ନିଯୁକ୍ତ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ଲୋକ ଓ ଲୋକଙ୍କ ମଧ୍ୟରେ ସଂପର୍କ ବୃଦ୍ଧି ପାଇଁ ବିଜେପି ତୃଣମୂଳ ସ୍ତରରେ ଏସବୁ ସାଂଗଠନିକ ୟୁନିଟ୍ ଗୁଡ଼ିକ ଉପରେ ନିର୍ଭର କରୁଛି। ସେହିଭଳି ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ର ପ୍ରସାରଣ ଦ୍ବାରା ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି। ମନ୍ କୀ ବାତ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ସିଧାସଳଖ ଲୋକଙ୍କ ସହିତ କଥା ହେଉଛନ୍ତି। ବୁଥ୍ ସ୍ତରରେ ଏଥିପାଇଁ ୨୦୨୨ ମେ ସୁଦ୍ଧା ବ୍ୟବସ୍ଥା କରାଯିବ। କାର୍ଯ୍ୟକାରିଣୀରେ ଦଳର ଅଧ୍ୟକ୍ଷ ଜେ ପି ନଡ୍ଡା ଉଦବୋଧନ ଦେଇଥିଲେ। ପୂର୍ବ ଅଧ୍ୟକ୍ଷ ଅମିତ ଶାହଙ୍କ ମନ୍ତବ୍ୟଙ୍କୁ ଉଦ୍ଧାର କରି ଦଳର ସ୍ଥିତିକୁ ବ୍ୟାପକ କରିବା ପାଇଁ କହିଥିଲେ। ଦଳପାଇଁ ଶୀର୍ଷରେ ପହଞ୍ଚିବା ଏବେ ବି ବାକି ଥିବା ସେ କହିଛନ୍ତି। ଉତ୍ତର-ପୂର୍ବ ଭାରତରେ ବିଜେପି କ୍ଷମତାକୁ ଆସିସାରିଛି। ଏବେ ଦଳର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ପୂର୍ବ ଓ ଦକ୍ଷିଣ ଭାରତ। ଯଦିଓ ବିଜେପି ଉଦ୍ୟମ କରିବା ସତ୍ତ୍ବେ ପଶ୍ଚିମବଙ୍ଗ, କେରଳ ଓ ତାମିଲନାଡୁରେ କ୍ଷମତା ଦଖଲ କରିପାରିନାହିଁ, ତା ଅର୍ଥ ନୁହେଁ ଦଳ ଆଶା ଛାଡ଼ିଦେଲା। ବରଂ ଦଳ କିପରି ଓଡ଼ିଶା, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁରେ କ୍ଷମତାକୁ ଆସିବ ସେନେଇ ସଂଗଠନକୁ ମଜବୁତ୍ କରିବାକୁ ରଣନୀତି ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। କରୋନା ମହାମାରୀ ପାଇଁ ପ୍ରାୟ ଦେଢ଼ ବର୍ଷ ପରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି। ଉକ୍ତ ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦଳର ଅଧ୍ୟକ୍ଷ ଜେ ପି ନଡ୍ଡା ଉଦ୍ଘାଟନ କରିଥିଲେ। ପାଖାପାଖି ୩୪୨ ଜଣ ଏହି ବୈଠକରେ ଯୋଗ ଦେଇଛନ୍ତି। ବରିଷ୍ଠ ନେତା ଏଲ କେ ଆଡଭାନୀ ଏବଂ ଡ ମୁରଲୀ ମନୋହର ଯୋଶୀ ଏହି ବୈଠକରେ ସେମାନଙ୍କ ଘରୁ ଡିଜିଟାଲ ମାଧ୍ୟମରେ ଯୋଡ଼ି ହୋଇଥିଲେ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..