Report Card Odisha

| Daily Odia News

ଶେଷ ହେଉଛି ମାଗଣା ବୁଷ୍ଟର ଡୋଜ୍‌ ଟିକାକରଣ ଅବଧି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଉ ମିଳିବନି ମାଗଣା ବୁଷ୍ଟର ଡୋଜ୍‌ ଟିକା | ରାଜ୍ୟରେ ମାଗଣା କରୋନା ଟିକା ଅବଧି ସରିଆସୁଛି। ତେଣୁ ତୁରନ୍ତ ବୁଷ୍ଟର ଡୋଜ୍‌ ଟିକା ନେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, ଏବେ ପର୍ଯ୍ୟନ୍ତ ରାଜ୍ୟରେ ୭୫ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍‌ ନେଇନାହାନ୍ତି। ଏମାନଙ୍କ ସଂଖ୍ୟା ହେଉଛି ୨କୋଟି ୪୦ଲକ୍ଷ। ଏଥିସହ ରାଜ୍ୟର ୨୩ଲକ୍ଷ ୩୨ହଜାର ଲୋକ ଦ୍ୱିତୀୟ ଡୋଜ୍‌ ଟିକା ବି ନେଇ ନାହାନ୍ତି। ମୁଖ୍ୟତଃ ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, ଅନୁଗୋଳ, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। କରୋନାକୁ ମୁକାବିଲା କରିବାକୁ ହେଲେ ଟିକା ନେବାକୁ ପଡ଼ିବ। ତେଣୁ ତୁରନ୍ତ ଟିକା ନେବା ପାଇଁ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ପାଣିଗ୍ରାହୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିଲା। ଏହି ପରିପ୍ରେକ୍ଷୀରେ ୭୫ଦିନ ପାଇଁ ମାଗଣା ବୁଷ୍ଟର ଡୋଜ୍‌ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ। ପ୍ରଥମେ କେବଳ ଗୁରୁତର ରୋଗୀ ବା ବହୁବିଧି ରୋଗୀ, ୬୦ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ୍‌ ଟିକା ଦିଆଯାଉଥିଲା। ପରେ ସମସ୍ତ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ମାଗଣା ବୁଷ୍ଟର ଦିଆଯିବାକୁ ଘୋଷଣା କରାଯାଇଥିଲା। ତେଣୁ ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମାଗଣା ବୁଷ୍ଟର ଡୋଜ୍‌ ଟିକାକରଣ ଆସନ୍ତା ୩୦ ତାରିଖରେ ଶେଷ ହେଉଥିବାରୁ ଏହା ମଧ୍ୟରେ ଏହାର ସୁଯୋଗ ନେବାକୁ ସ୍ବାସ୍ଥ୍ୟ ବିଭାଗ କହିଛି।

Breaking News