ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୯ ପୋଲିସ୍ ଅଧିକାରୀ ଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି । ସୋମବାର ମଦୁରାଇର ପ୍ରଥମ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ ସଥାନକୁଲମ ହାଜତ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ନଅ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। କୋର୍ଟ ମୃତକଙ୍କ ପରିବାରକୁ ମୋଟ ୧.୪୦ କୋଟି କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଦୋଷୀ ପୋଲିସ କର୍ମଚାରୀମାନେ ମିଳିତ ଭାବରେ ପ୍ରଦାନ କରିବେ। ବିଚାରପତି ଜି.ମୁଥୁକୁମାରନ୍ ରାୟ ଶୁଣାଇବା ସମୟରେ କହିଛନ୍ତି ଯେ ଏହା ଏକ ବିରଳ ମାମଲା ଯେଉଁଥିରେ ଆଇନ ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ୱରେ ଥିବା ପୋଲିସ ଅଧିକାରୀମାନେ ଆଇନ ବିରୁଦ୍ଧରେ ଯାଇ ପିତା ଏବଂ ପୁଅଙ୍କୁ ନିର୍ମମ ଭାବରେ ଆକ୍ରମଣ କରିଥିଲେ। ତଥାପି ସେମାନଙ୍କ ବିରୁଦ୍ଧରେ କୌଣସି ଅପରାଧିକ ଅଭିଯୋଗ ଦାଖଲ ହୋଇନଥିଲା। ୨୦୨୦ ମସିହାରେ ସଥାନକୁଲମ ପୁଲିସ୍ ହେପାଜତରେ ଜୟରାଜ ଏବଂ ତାଙ୍କ ପୁଅ ବେନିକ୍ସଙ୍କ ମୃତ୍ୟୁ ଘଟଣାର ପ୍ରାୟ ଛଅ ବର୍ଷ ପରେ ଏହି ରାୟ ଆସିଛି। ରାତି ୯ଟା ପରେ ଦୋକାନ ଖୋଲା ରଖି ସେମାନେ କୋଭିଡ୍ ୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ୧୯ ଜୁନ୍ ୨୦୨୦ରେ ପୋଲିସ ପିତା ଏବଂ ପୁଅଙ୍କୁ ସଥାନକୁଲମ ପୋଲିସ ଷ୍ଟେସନକୁ ନେଇଯାଇଥିଲା। ସେମାନଙ୍କୁ ପ୍ରବଳ ମାଡ଼ ମାରିଥିଲା ଏବଂ ଭାରତୀୟ ଦଣ୍ଡ ସଂହିତା ର ଧାରା ୧୮୮, ୨୬୯, ୨୯୪(ଖ), ୩୫୩ ଏବଂ ୫୦୬(୨) ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲା। ବେନିକ୍ସଙ୍କର ଜୁନ୍ ୨୨ରେ ମୃତ୍ୟୁ ହୋଇଥିବାବେଳେ ଜୟରାଜଙ୍କର ଜୁନ୍ ୨୩ରେ ତାଙ୍କର ଗୁରୁତର ଆଘାତ ଯୋଗୁଁ ମୃତ୍ୟୁ ହୋଇଥିଲା। କୋର୍ଟ ଏକ ସ୍ୱତଃପ୍ରବୃତ୍ତ ମାମଲା ଦାୟର କରି ପୋଲିସ ଅଧିକାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହି ମାମଲାରେ ମୋଟ ୧୦ ଜଣ ପୋଲିସ ଅଧିକାରୀଙ୍କୁ ଅଭିଯୁକ୍ତ କରାଯାଇଥିଲା, କିନ୍ତୁ ଜଣେ କରୋନା ସମୟରେ ସବ-ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିଲା। ବାକି ନଅ ଜଣ ଅଧିକାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..