ରିପୋର୍ଟ କାର୍ଡ / ଭୁବନେଶ୍ବର
ଜାଲ୍ ଦସ୍ତାବିଜ୍ ବଳରେ ଫ୍ଲାଟ୍ ଓ ଘର ବନ୍ଧକ ରଖି ବ୍ୟାଙ୍କରୁ କୋଟିଏରୁ ଅଧିକ ଟଙ୍କା ଋଣ ନେବା ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ଶାଖା ସମ୍ପୃକ୍ତ ବିଲ୍ଡର ଦମ୍ପତିଙ୍କୁ ଗିରଫ କରି ବୁଧବାର ଅଦାଲତ ଚାଲାଣ କରିଛି। ଗିରଫ ଦମ୍ପତି ହେଲେ ଜୟଦେବ ବିହାରରେ ଥିବା ‘ଏବି ସଲ୍ୟୁସନ’ର ନିର୍ଦେଶକ ଆଶୀର୍ବାଦ ପଟ୍ଟନାୟକ ଓ ତାଙ୍କ ପତ୍ନୀ ମନୋଜ୍ଞାନ ପଟ୍ଟନାୟକ। ଇଓଡବ୍ଲ୍ୟୁ ସୂତ୍ରରୁ ପ୍ରକାଶ, ଜୟଦେବ ବିହାରରେ ଅଭିଯୁକ୍ତ ଆଶୀର୍ବାଦ ‘ଏବି ସଲ୍ୟୁସନ’ ନାମରେ ବିଲ୍ଡର ସଂସ୍ଥା ଖୋଲିଥିଲେ। ଦମ୍ପତିଙ୍କ ନାମରେ ଥିବା ୨ଟି ଫ୍ଲାଟ୍ ଓ ଗୋଟିଏ ଘରକୁ ବନ୍ଧକ ରଖି ୨୦୧୮ ଜାନୁଆରୀରେ ଇଣ୍ଡିଆନ ବ୍ୟାଙ୍କରୁ ୩.୭୯ କୋଟି ଟଙ୍କାର ଋଣ ନେଇଥିଲେ। ଉକ୍ତ ଋଣ ସେ ପରିଶୋଧ କରିନଥିଲେ। ଉକ୍ତ ଫ୍ଲାଟ୍ ଓ ଘରର ନକଲି ଦସ୍ତାବିଜ୍ ପ୍ରସ୍ତୁତ କରି କଟକ ଲିଙ୍କ ରୋଡ଼ ଆଇସିଆଇସିଆଇ ଶାଖାରେ ଜମା କରି ଋଣ ପାଇଁ ଆବେଦନ କରିଥିଲେ। ନକଲି ଦସ୍ତାବିଜ୍ ବଳରେ ସେ ଗତ ଜାନୁଆରୀରେ ୧.୩ କୋଟି ଟଙ୍କା ଋଣ ନେଇଥିଲେ। ଏ ବାବଦରେ ଏବେ ୧.୫ କୋଟି ଟଙ୍କା ସେ ପରିଶୋଧ କରିବେ। କିସ୍ତି ନଦେବାରୁ ବ୍ୟାଙ୍କ ପକ୍ଷରୁ ତାଙ୍କ ଦସ୍ତାବିଜ୍ ଯାଞ୍ଚ କରିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଆଇସିଆଇସିଆଇ ଆଞ୍ଚଳିକ ଶାଖା ମୁଖ୍ୟ ସୁଶାନ୍ତ ନାୟକ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନକଲି ଦସ୍ତାବିଜ୍ ବଳରେ ବ୍ୟାଙ୍କରୁ ଠକେଇ କରିଥିବା ତଥ୍ୟ ପ୍ରମାଣ ମିଳିବା ପରେ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଥିଲା।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..