ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାମିଲନାଡୁର କୁଡ୍ଡାଲୋର୍ ଜିଲ୍ଲାରେ ୨ଟି ବସ୍ ମୁହାଁମୁହିଁ ଧକ୍କା ଖାଇବାରୁ ଅନ୍ୟୂନ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ୭୦ଜଣ ଆହତ ହୋଇଥିବା କଥା ପୋଲିସ କହିଛି। କୁଡ୍ଡାଲୋର୍ ଜିଲ୍ଲାର ନେଲ୍ଲିକୁପ୍ପମ୍ ନିକଟ ପଟ୍ଟମବକ୍କମ୍ରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଘରୋଇ ବସ୍ ଦୁଇଟି କୁଡ୍ଡାଲୋର୍ ଏବଂ ପାନରୁତି ମଧ୍ୟରେ ଚଳାଚଳ କରନ୍ତି। ଗୋଟିଏ ବସ୍ର ଆଗ ଚକ ଟାୟାର୍ ଫାଟି ଯିବାରୁ ତାହା ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ସଡ଼କର ବିପରୀତ ପଟୁ ଆସୁଥିବା ଆଉ ଗୋଟିଏ ବସ୍ ସହିତ ମୁହାଁମୁହିଁ ଧକ୍କା ଖାଇଥିଲା। ଆହତମାନଙ୍କୁ ସାହାଯ୍ୟ କରିବା ପାଇଁ ଜିଲ୍ଲାର ବରିଷ୍ଠ ରାଜସ୍ବ ଅଧିକାରୀ ଓ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ୍ ଆସିବା ପୂର୍ବରୁ ଆହତମାନଙ୍କୁ ସ୍ଥାନୀୟ ଲୋକେ କୁଡ୍ଡାଲର୍ ସରକାରୀ ଡାକ୍ତରଖାନାକୁ ନେଇଯାଇଥିଲେ। ବସ୍ ଦୁର୍ଘଟଣା ମୃତ ଯାତ୍ରୀଙ୍କ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଥିବା ବେଳେ ଚିକିତ୍ସାଧୀନ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..