Report Card Odisha

| Daily Odia News

କୁଚିଣ୍ଡାରୁ ଗଡୁନି ବସ୍!….

ରିପୋର୍ଟ କାର୍ଡ / କୁଚିଣ୍ଡା

ଆଜି କୁଚିଣ୍ଡାରେ ବସ ଚଳାଚଳ ବନ୍ଦ ନେଇ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ। କୁଚିଣ୍ଡା-ଝାରସୁଗୁଡା ଘରୋଇ ବସ ମାଲିକ ସଂଘର ବିବାଦରେ କୁଚିଣ୍ଡା ଥାନା ଅଧିକାରୀଙ୍କ ହସ୍ତକ୍ଷେପକୁ ବିରୋଧ କରି ଏଭଳି ଡାକରା ଦେଇଛି ସଂଘ । ଜିଲ୍ଲାରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌ ହୋଇଯିବା ଯୋଗୁ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବସଷ୍ଟାଣ୍ଡରେ ଅନେକ ଯାତ୍ରୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଛନ୍ତି। ମାତ୍ର କୌଣସି ବସ୍‌ ନ ଆସିବାରୁ ଯାତ୍ରୀମାନେ ନିରାଶ ହୋଇ ଫେରି ମଧ୍ୟ ଯାଉଛନ୍ତି। ସୂଚନାଯୋଗ୍ୟ, କୁଚିଣ୍ଡା-ଝାରସୁଗୁଡା ଘରୋଇ ବସ ମାଲିକ ସଂଘ ମଧ୍ୟରେ ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। ଗତକାଲି ଝାରସୁଗୁଡା ଘରୋଇ ବସ ମାଲିକ ସଂଘ କୁଚିଣ୍ଡାରୁ ଯାଉଥିବା ଏକ ବସକୁ ପ୍ରଥମେ ଅଟକ ରଖିଥିଲେ। ଏହା ଜାଣିବା ପରେ କୁଚିଣ୍ଡା ଘରୋଇ ବସ ମାଲିକ ସଂଘ ଝାରସୁଗୁଡା ଯାଉଥିବା ଏକ ବସକୁ ଅଟକ ରଖିଥିଲେ। ହେଲେ କୁଚିଣ୍ଡା ଥାନା ଅଧିକାରୀ ଏହି ଘଟଣାର ହସ୍ତକ୍ଷେପ କରି କୁଚିଣ୍ଡା ଘରୋଇ ବସ ମାଲିକ ସଂଘ ଅଟକ ରଖିଥିବା ବସକୁ ଛାଡ଼ି ଦେଇଥିଲେ। ହେଲେ ଝାରସୁଗୁଡା ଘରୋଇ ବସ ମାଲିକ ସଂଘ କୁଚିଣ୍ଡାର ବସ୍‌ ଟିକୁ ଛାଡ଼ି ନଥଲେ। ଯାହକୁ ବିରୋଧ କରିଥିଲା କୁଚିଣ୍ଡା ଘରୋଇ ବସ ମାଲିକ ସଂଘ। କାହିଁକି କୁଚିଣ୍ଡା ଥାନା ଅଧିକାରୀ ହସ୍ତକ୍ଷେପ କରି ବସ୍‌ଟିକୁ ଛାଡ଼ିଦେଲେ ତାକୁ ନେଇ ପ୍ରତିବାଦ କରିଥିଲେ। ଏହାରି ପ୍ରତିବାଦରେ ଆଜି କୁଚିଣ୍ଡା ଘରୋଇ ବସ ମାଲିକ ସଂଘ ବସ ଚଳାଚଳ ବନ୍ଦ ନେଇ ଡାକରା ଦେଇଛି। ଏନେଇ ଉପ ଜିଲ୍ଲାପାଳ, ଏସଡିପିଓ, ଥାନା ଅଧିକାରୀଙ୍କୁ ଦାବି ଜଣାଇଛି ଘରୋଇ ବସ୍ ମାଲିକ ସଂଘ। ଫଳରେ କୁଚିଣ୍ଡାରୁ ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ ଓ ରାଉରକେଲାକୁ ବସ୍ ଚଳାଚଳ ବନ୍ଦ ରହିଛି।

Breaking News