Report Card Odisha

| Daily Odia News

ରାଜ୍ୟ କ୍ୟାବିନେଟରେ OCS ସହ ୮ ପ୍ରସ୍ତବାକୁ ମଞ୍ଜୁରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଓସିଏସ ପରୀକ୍ଷାକୁ ନେଇ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ସିଭିଲ ସର୍ଭିସେସ୍ ଏକ୍ଜାମ ସଂଶୋଧନ ପ୍ରସ୍ତବାକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ହେଉଥିବା ୨୨୫୦ ମାର୍କର ପରୀକ୍ଷାରେ ସଂଶୋଧନ ହୋଇଛି । ଏଣିକି ଇଣ୍ଟରଭ୍ୟୁକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ । ତେବେ ୟୁପିଏସସି ଭଳି ଏଣିକି ଓସିଏସରେ ଗୋଟିଏ ଅପସନାଲ ବ୍ୟବସ୍ଥା ରହିବ । ଆଉ ୨ଟି ନୁହେଁ, ଏଣିକି ଗୋଟିଏ ଅପସନାଲ ବିଷୟ ବାଛିବେ ଆଶାୟୀ ପ୍ରାର୍ଥୀ । ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ ହୋଇଛି । ଏଣିକି ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ ପରୀକ୍ଷାର୍ଥୀ । କେତେଥର କେଉଁ ବର୍ଗ ପରୀକ୍ଷା ଦେଇପାରିବେ, ସେନେଇ ସଂଶୋଧନ ହୋଇଛି । ଅଣସଂରକ୍ଷିତ ବର୍ଗ ୪ ଥର ଦେଇପାରୁନଥିଲେ, କିନ୍ତୁ ଏବେ ୬ ଥର ଦେଇପାରିବେ । ଏସସି/ଏସଟି ବର୍ଗ ପୂର୍ବଭଳି ଯେତେଥର ଚାହିଁବେ, ପରୀକ୍ଷା ଦେଇପାରିବେ । ଏହା ସହିତ କ୍ୟାବିନେଟରେ ଚଳିତ ବର୍ଷ ଖରିପ ଏବଂ ରବି ଋତୁ ପାଇଁ ଧାନ ସଂଗ୍ରହ ନୀତି ଘୋଷଣା କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ସର୍ବନିମ୍ନ ୨୦୪୦ ଏବଂ ସର୍ବାଧିକ ୨୦୮୦ ଟଙ୍କା ରଖାଯାଇଛି । ସେହିପରି ରାଜ୍ୟରେ ଖଣି ନିର୍ଦ୍ଦେଶାଳୟ ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟର ହେବ ମିଶ୍ରଣ । ଏହାକୁ ମିଶ୍ରଣ କରି ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ସୃଷ୍ଟି କରାଯିବ । ଏଥିରେ ଏକକ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶକ ପଦବୀ ସହ ଦୁଇଗୋଟି ନୂତନ ଅତିରିକ୍ତ ପଦବୀ ସୃଷ୍ଟି କରାଯିବ । ମାନବ ସମ୍ବଳକୁ ସୁଦୃଢ କରି ଖଣିଜ ପ୍ରଶାସନ ଓ ଅନ୍ବେଷଣକୁ ଅଧିକ କ୍ରିୟାଶୀଳ କରାଯିବ । ଏହା ରାଜସ୍ବ ବୃଦ୍ଧିରେ ସହାୟକ ହେବ ।

 

 

Breaking News