Report Card Odisha

| Daily Odia News

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ,ଆଜି ସନ୍ଧ୍ୟାରେ ସରିବ ପ୍ରଚାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ମେ’ ୧୩ରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରକୁ ମିଶାଇ ମୋଟ୍ ୯୬ ଲୋକସଭା ଆସନ ପାଇଁ ମତଦାନ ହେବ । ଆନ୍ଧ୍ର ପ୍ରଦେଶର ସମସ୍ତ ୨୫ ଆସନରେ ମତଦାନ ହେବ । ତେଲଙ୍କାନାର ୧୭, ଉତ୍ତର ପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ପଶ୍ଚିମବଙ୍ଗର ୮, ମଧ୍ୟପ୍ରଦେଶର ୮, ବିହାରର ୫, ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ୪ଟି ଲେଖାଏ ଆସନରେ ହେବ ମତଦାନ । ଓଡ଼ିଶାରେ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଉଭୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନେ ଘରକୁ ଘର ବୁଲି ପ୍ରଚାର କରୁଥିବା ବେଳେ ଆଜି ସନ୍ଧ୍ୟା ୫ଟାରେ ପ୍ରଚାର ଶେଷ ହେବ। ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୪୩ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ନୂଆପଡା ନିର୍ବାଚନ ମଣ୍ଡଳୀରେ ୭ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଥିବା ବେଳେ ଖରିଆର ୭, ଉମରକୋଟ ୪, ଝରିଗାଁ ୩, ନବରଙ୍ଗପୁର ୩, ଡାବୁଗାଁ ୩, ଲାଞ୍ଜିଗଡ ୮, ଜୁନାଗଡ ୬, ଧର୍ମଗଡ ୧୧, ଭବାନୀପାଟଣା ୧୧, ନର୍ଲା ୧୨, ଛତ୍ରପୁର ୧୦, ଗୋପାଳପୁର ୧୦, ବ୍ରହ୍ମପୁର ୧୭, ଦିଗପହଣ୍ଡି ୧୩, ଚିକିଟି ୮, ମୋହନା ୭, ପାରଳାଖେମୁଣ୍ଡି ୧୦, ଗୁଣୁପୁର ୧୨, ବିଷମକଟକ ୮, ରାୟଗଡା ୧୦, ଲକ୍ଷ୍ମୀପୁର ୧୧, କୋଟପାଡ ୬, ଜୟପୁର ୧୧, କୋରାପୁଟ ୧୨, ପଟ୍ଟାଙ୍ଗୀ ୮, ମାଲକାନଗିରି ୬ ଏବଂ ଚିତ୍ରକୋଣ୍ଡା ୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ମୋଟ ୬୨ ଲକ୍ଷ ୮୭ ହଜାର ୨୨୨ ମତଦାତା ରହିଛନ୍ତି। ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧, ୮୯, ୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି। ମୋଟ ୭୨୮୯ଟି ବୁଥ୍ ଓ ୧୪ଟି ଅତିରିକ୍ତ ବୁଥ୍ ରହିଛି। ପୁଲିଂ ଅଧିକାରୀ ମତଦାନ ଗ୍ରହଣ ପାଇଁ ଆବଶ୍ୟକ ସାମଗ୍ରୀ ଧରି ବୁଥକୁ ଯିବେ। ମେ’ ୧୩ ତାରିଖ ସକାଳ ୭ଟା’ରେ ଭୋଟ ଗ୍ରହଣ କରାଯିବ। ଆଇନଶୃଙ୍ଖଳା ଏବଂ ମତଦାନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିବା ଜଣାପଡିଛି।

Breaking News