Report Card Odisha

| Daily Odia News

ଟିଏମ୍‌ସି-କଂଗ୍ରେସ ମୁହାଁମୁହିଁ…..

ରିପୋର୍ଟ କାର୍ଡ / କୋଲକାତା

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଘଟିଥିବା ହିଂସା, ଜମିହଡ଼ପ ଓ ଦୁଷ୍କର୍ମ ମାମଲା ନେଇ କଂଗ୍ରେସ-ଟିଏମ୍‌ସି ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ତାଙ୍କ ଦଳ ଚାହୁଛି ସନ୍ଦେଶଖାଲିରେ ଘଟିଥିବା ଅତ୍ୟାଚାରର ପର୍ଦ୍ଦାଫାସ ହେଉ। ସନ୍ଦେଶଖାଲି ଘଟଣା ବିଷୟରେ ସମଗ୍ର ରାଜ୍ୟ ଜାଣିଛି ବୋଲି ସେ କହିଛନ୍ତି। ସନ୍ଦେଶଖାଲିରେ ଘଟିଥିବା ଅତ୍ୟାଚାରକୁ କେହି ଅଧିକ ଦିନ ଦବାଇ ରଖିପାରିବେ ନାହିଁ ଏବଂ ଏହାର ପର୍ଦ୍ଦାଫାସ ହେବ ହିଁ ହେବ ବୋଲି ଅଧୀର ବୟାନ ଦେଇଥିବା ବେଳେ ଟିଏମ୍‌ସି ଏହାକୁ ଜୋରଦାର ବିରୋଧ କରିଛି। ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ କହିଛନ୍ତି ଯେ କେବଳ ଅଧୀରଙ୍କ ଜନବିରୋଧୀ ଆଭିମୁଖ୍ୟ ପାଇଁ ରାଜ୍ୟରେ ଇଣ୍ଡି ମେଣ୍ଟ ଭାଙ୍ଗି ଯାଇଛି। ସନ୍ଦେଶଖାଲି ଘଟଣା ଶାସକ ଦଳ ଏବଂ ବଙ୍ଗଳାକୁ ବଦନାମ କରିବା ପାଇଁ ବିଜେପିର ଷଡ଼ଯନ୍ତ୍ର ବୋଲି ଟିଏମ୍‌ସି ଦାବି କରିଥିବା ବେଳେ କଂଗ୍ରେସ ନେତା ଅଧୀର ରଂଜନ ଟିଏମ୍‌ସିକୁ ଟାର୍ଗେଟ୍‌ କରିବା ରାଜ୍ୟ ରାଜନୀତିକୁ ସରଗରମ କରିଛି। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସନ୍ଦେଶଖାଲିର ବିଜେପି ମଣ୍ଡଳ ସଭାପତି ଗଙ୍ଗାଧର କୟାଲ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ସମଗ୍ର ଷଡ଼ଯନ୍ତ୍ର ପଛରେ ଶୁଭେନ୍ଦୁ ଅଧିକାରୀଙ୍କ ହାତ ରହିଛି। ‘ଷ୍ଟିଂ ଅପରେସନ୍’ ଭିଡିଓରେ କୟାଲ କହିଛନ୍ତି ଯେ ଅଧିକାରୀଙ୍କ ନିର୍ଦ୍ଦେଶରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି। ତେବେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ଏହି ଷ୍ଟିଂ ଅପରେସନକୁ ନକଲି ବୋଲି ଅଭିଯୋଗ କରିବା ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରି ଏହାକୁ ତିଆରି କରାଯାଇଥିବା କହିଥିଲେ। ଟିଏମ୍‌ସିର ରାଜ୍ୟସଭା ସାଂସଦ ସାଗରିକା ଘୋଷ ଆଜି ନିର୍ବାଚନ କମିସନଙ୍କୁ ଭେଟି ସନ୍ଦେଶଖାଲି ଘଟଣା ବିଜେପିର ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସନ୍ଦେଶଖାଲିରେ କୌଣସି ଦୁଷ୍କର୍ମ ହୋଇନାହିଁ, ଏହା ସବୁ ମିଛ। ମହିଳାମାନେ ଏବେ କହୁଛନ୍ତି ଯେ ସେମାନଙ୍କୁ ଟଙ୍କା ଦିଆଯାଇଥିଲା ଏବଂ ଏସବୁ କହିବାକୁ ଶିଖାଯାଇଥିଲା। ଆମେ ଚାହୁଛୁ ନିର୍ବାଚନ କମିସନ ଏଥିରେ ହସ୍ତକ୍ଷେପ କରନ୍ତୁ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଅନ୍ତୁ। ଅନ୍ୟପକ୍ଷରେ ବିଜେପି କହିଛି ଯେ ଅଚ୍ୟାଚାରିତ ଲୋକଙ୍କୁ ଦମନ କରିବା ଏବଂ ସେମାନଙ୍କ ସ୍ବରକୁ ଚାପି ଦେବାପାଇଁ ଟିଏମ୍‌ସି ଲଗାତାର ପ୍ରୟାସ ଚଳାଇଛି। ସେମାନଙ୍କର କୌଣସି ଚାଲ୍‌ କାମ ଦେବନାହିଁ ଏବଂ ଲୋକଙ୍କ ଉପରେ ବର୍ବର ଅତ୍ୟାଚାର ଚଳାଇଥିବା ଟିଏମ୍‌ସି ନେତାମାନେ ଦଣ୍ଡିତ ହେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ ଜାରି ବୟାନରେ କୁହାଯାଇଛି।

 

 

Breaking News