Report Card Odisha

| Daily Odia News

ସିବିଆଇ ହାତରେ ଟେଣ୍ଡର ଫିକ୍ସିଂର ପ୍ରମାଣ,ଗିରଫ ହୋଇପାରନ୍ତି ବିଷ୍ଣୁପଦ!…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଲା। ସିବିଆଇ ହାତରେ ପୁଳାପୁଳା ପ୍ରମାଣ ପରେ ବିଷ୍ଣୁପଦଙ୍କୁ ଯେକୌଣସି ମୁହୂର୍ତ୍ତରେ ଗିରଫ କରିବାର ଆଶଙ୍କା ଦେଖାଦେଇଛି। ଏପଟେ ସିବିଆଇର ସମନ ପରେ ମଧ୍ୟ ହାଜର ହେଉନଥିବା ବିଷ୍ଣୁପଦଙ୍କୁ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବେ ରାଜ୍ୟ ସରକାର କିଭଳି କାର୍ଯ୍ୟ ଜାରି ରଖିବାର ଅନୁମତି ଦେଇଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଲାଣି। ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସୀ ଥାଇ ମଧ୍ୟ ବିଷ୍ଣୁପଦ କେଉଁ ଅଦୃଶ୍ୟ କାରଣରୁ ଓପନ୍ ଟେଣ୍ଡର ନକରି କେନ୍ଦ୍ରୀୟ ପିଏସୟୁଗୁଡ଼ିକୁ ‘ସରକାରୀ ଆବାସିକ ଆଶ୍ରମ ସ୍କୁଲର ଉନ୍ନୀତିକରଣ’ କାର୍ଯ୍ୟ ଟେକି ଦେଉଥିଲେ ତା’ର ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସିବିଆଇ ହାତରେ ଲାଗିଥିବା ଜଣାପଡ଼ିଛି। ରାଜ୍ୟର କିଛି ନିର୍ଦ୍ଦିଷ୍ଟ ରିଏଲ ଇଷ୍ଟେଟ୍ ସଂସ୍ଥାକୁ ଏସବୁ କାର୍ଯ୍ୟ ଟେକି ଦେବା ପାଇଁ ଆଇନର ଗଳାବାଟରେ କେନ୍ଦ୍ରୀୟ ପିଏସୟୁକୁ ମାଧ୍ୟମ କରାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିିଳଛି। ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୦ଲକ୍ଷ ଟଙ୍କାର ଲାଂଚ କାରବାର ମାମଲାରେ ସିବିଆଇ ୧୧ତାରିଖରେ ହାଜର ହେବା ପାଇଁ ବିଷ୍ଣୁପଦଙ୍କୁ ସମନ କରିଥିଲେ ମଧ୍ୟ ସେ ଏହାକୁ ଏଡ଼ାଇ ଚାଲିଛନ୍ତି। ସିବିଆଇ ଦ୍ୱିତୀୟଥର ସମନ ପଠାଇ ତାଙ୍କୁ ହାଜର ହେବା ପାଇଁ ଆଜି ସମୟ ଦେଇଥିଲା। ଯାହାକୁ ମଧ୍ୟ ସେ ଏଡ଼ାଇ ଯାଇଥିବା ଜଣାପଡ଼ିଛି। ଏପଟେ ସିବିଆଇ ବିଷ୍ଣୁପଦଙ୍କର ୩ଜଣ ଡ୍ରାଇଭରଙ୍କୁ ଗତକାଲି ସନ୍ଧ୍ୟାରୁ ବିଭିନ୍ନ ପର୍ଯ୍ୟାୟରେ ଜେରା କରିଛି। ଏହି ୩ଜଣ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଲାଂଚ ଟଙ୍କା ନେଣଦେଣ ହେଉଥିବା ସିବିଆଇ ସନ୍ଦେହ କରିଛି। ଗତ ୭ତାରିଖରେ ଜୟଦେବ ବିହାର ଅଂଚଳରୁ ଏକ କାରରୁ ସିବିଆଇ ଅଫିସରମାନେ ୧୦ଲକ୍ଷ ଟଙ୍କା ନଗଦ ଲାଂଚ ଟଙ୍କା ଜବତ କରିବା ସହ ୩ଜଣଙ୍କୁ ଗିରଫ କରିବା ପରେ ଏହି ଟେଣ୍ଡର ଫିକ୍ସିଂର ନୂଆ ଦିଗ ପଦାକୁ ଆସିଛି।

Breaking News