ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୁଲାଇ ୧୪ ରେ ଭାରତ ପକ୍ଷରୁ ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୩ ଚନ୍ଦ୍ର ଅଭିମୁଖେ ଯାତ୍ରା ଜାରି ରଖିଛି। ଆଜି ସୁଦ୍ଧା ଏହା ମୋଟ ଦୂରତାର ଦୁଇ ତୃତୀୟାଂଶ ପଥ ଅତିକ୍ରମ କରିସାରିଲାଣି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆଜି ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଠାରୁ ଚନ୍ଦ୍ରଯାନର ଦୂରତା ପ୍ରାୟ ୪୦ ହଜାର କିଲୋମିଟର ରହିଛି। ଏହି ଦୂରତାରେ ବି ଚନ୍ଦ୍ର ତାହାର ମାଧ୍ୟାକର୍ଷଣ ଦ୍ବାରା ଚନ୍ଦ୍ରଯାନ-୩କୁ ନିଜ ଆଡ଼କୁ ଟାଣିବ। ଏହା ସତ୍ତ୍ବେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ପ୍ରବେଶ ପାଇଁ ଉଦ୍ୟମ କରିବ। ତେଣୁ ଅଗଷ୍ଟ ୫ ତାରିଖ ଚନ୍ଦ୍ରଯାନ-୩ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ପରୀକ୍ଷାର ମୁହୂର୍ତ୍ତ। ତେବେ ଇସ୍ରୋର ବୈଜ୍ଞାନିକମାନେ ଭରସା ଦେଇଛନ୍ତି ଯେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରାଇବାରେ ସେମାନେ ସଫଳ ହେବେ। ଭାରତୀୟ ସ୍ଥାନୀୟ ସମୟ ରାତି ପ୍ରାୟ ୭ଟାରେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରାଇବା ପାଇଁ ପ୍ରୟାସ ବା ଲୁନାର ଅର୍ବିଟ ଇଞ୍ଜେକସନ କରାଯିବ। ଅର୍ଥାତ୍ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ପ୍ରଥମ କକ୍ଷପଥରେ ଛଡ଼ାଯିବ। ଏହାପରେ ଅଗଷ୍ଟ ୬ ତାରିଖ ରାତି ପ୍ରାୟ ୧୧ଟାରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରର ଦ୍ବିତୀୟ କକ୍ଷପଥରେ ଛଡ଼ାଯିବ। ଏହାପରେ ଅଗଷ୍ଟ ୯ରେ ତୃତୀୟ, ଅଗଷ୍ଟ ୧୪ରେ ଚତୁର୍ଥ ଏବଂ ଅଗଷ୍ଟ ୧୬ରେ ପଞ୍ଚମ ଲୁନାର ଅର୍ବିଟ ଇଞ୍ଜେକସନ ଇସ୍ରୋ ପକ୍ଷରୁ କରାଯିବ। ୧୭ ଅଗଷ୍ଟରେ ପ୍ରପଲଜନ ମଡ୍ୟୁଲ ଏବଂ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବ। ଆସନ୍ତା ୧୭ ତାରିଖ ମଧ୍ୟ ଚନ୍ଦ୍ରଯାନ-୩ ପାଇଁ ଗୁରୁତ୍ବପୂର୍ଣ୍ଣ। କାରଣ ସେହିଦିନ ଚନ୍ଦ୍ରଯାନ-୩କୁ ଚନ୍ଦ୍ରପୃଷ୍ଠ ଠାରୁ ୧୦୦ କିମି ଦୂର ଗୋଲାକାର କକ୍ଷପଥରେ ଛଡ଼ାଯିବ। ୧୮ ଏବଂ ୨୦ ତାରିଖରେ ଚନ୍ଦ୍ରଯାନକୁ ଚନ୍ଦ୍ରର କକ୍ଷପଥ ଦୂରତାକୁ କମ୍ କରାଯିବ। ଲ୍ୟାଣ୍ଡର ମଡ୍ୟୁଲ ୧୦୦x୩୦ କିମି କକ୍ଷପଥରେ ଯାତ୍ରା କରିବ। ତାହା ପରେ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ ମିନିଟରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ରରେ ଅବତରଣ କରାଯିବ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….