ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚୀନକୁ ସାବାଡ଼ କରିବା ପାଇଁ ଏକାଠି ମହାମେଣ୍ଟ । ଚୀନ୍ର ଦବଦବାକୁ ପ୍ରତିହତ କରିବା ପାଇଁ ଅଷ୍ଟ୍ରେଲିଆ, ଆମେରିକା ଓ ବ୍ରିଟେନ୍ ଏକ ମହାମେଣ୍ଟ ଗଠନ କରିଛନ୍ତି । ଏହି ମେଣ୍ଟର ନିୟମାନୁସାରେ, ଆମେରିକା ଓ ବ୍ରିଟେନ୍ ଆସନ୍ତା ୧୮ ମାସରେ ଅଷ୍ଟ୍ରେଲିଆକୁ ୮ଟି ଶକ୍ତିଶାଳୀ ବୁଡାଜାହାଜ ପ୍ରଦାନ କରିବ, ଯାହା ପରମାଣୁ ସମ୍ପନ୍ନ ଅଟେ । ଏହା ସିଧାସଳଖ ଭାବେ ଭାରତର ସୁରକ୍ଷାକୁ ମଧ୍ୟ ମଜବୁତ କରିବ । କାରଣ ଗତ କିଛି ବର୍ଷ ଧରି ଅଷ୍ଟ୍ରେଲିଆକୁ ଭାରତ ହିଁ ଅନେକ ପ୍ରସଙ୍ଗରେ ସହଯୋଗ କରିଆସିଛି । ଆମେରିକା, ବ୍ରିଟେନ୍ ଓ ଅଷ୍ଟ୍ରେଲିଆ ତରଫରୁ ମହାମେଣ୍ଟ ବାବଦରେ ଘୋଷଣା କରାଯାଇଛି । ଏହି ମହାମେଣ୍ଟର ନାଁ ଅକସ୍ ଦିଆଯାଇଛି । ଅଷ୍ଟ୍ରେଲିଆ ଏନେଇ ପ୍ରଥମେ ଭାରତକୁ ସୂଚନା ଦେଇଥିଲା । କୁହାଯାଉଛି ଯେ, ବୁଧବାର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ କଥା ହୋଇଥିଲେ । ତେବେ ଏବେସୁଦ୍ଧା ଅକସ୍ ନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି ଯେ, ଆକସ୍ ଅଷ୍ଟ୍ରେଲିଆକୁ ରଣନୀତିକ ଦୃଷ୍ଟିକୋଣରୁ ଆହୁରି ମଜବୁତ କରିବ ।ଏହା ଏସିଆନର ସଦସ୍ୟ ଦେଶ, ପ୍ରଶାନ୍ତ ସାଗରୀଦ ଦେଶକୁ ସମର୍ଥନ ଦେବ । ତେବେ ଆସନ୍ତା ୨୪ ତାରିଖରେ ଓ୍ୱାଶିଂଟନରେ ଆମେରିକା, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ମଧ୍ୟରେ ଶିଖର ସମ୍ମିଳନୀ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଥିଲେ ଯେ,ସେମାନଙ୍କ ପାଖରେ ଦେଶର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେବାର ସ୍ୱାଧିନତା ରହିଛି । ଏହା ସେମାନଙ୍କର ଅଧିକାର । ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ପ୍ରତିଯୋଗୀତା ଅଧିକ । ତେଣୁ ଏପରି ଏକ ମହାମେଣ୍ଟର ଆବଶ୍ୟକତା ପଡିଲା । ଚାଇନାର ପରମାଣୁ ଶକ୍ତି ସମ୍ପନ୍ନ ବୁଡାଜାହାଜ ଉପରେ ତୀକ୍ଷ୍ଣ ନଜର ରହିଛି ।ତେବେ ଏହି ମହାମେଣ୍ଟକୁ ନେଇ ଚୀନ୍ ଖପ୍ପା । ଚୀନ୍ କହିଛି ଯେ, ଏହା ଦାୟିତ୍ୱହୀନତାର ପରିଚୟ ଅଟେ । ସୂଚନାଯୋଗ୍ୟ, ୩ ମହାଶକ୍ତି ଏକାଠି ହେବା ପରେ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଓ ଭାରତ ମହାସାଗରୀୟ କ୍ଷେତ୍ରରେ ଚୀନ୍ ପାଇଁ ଅଡୁଆ ସୃଷ୍ଟି ହେବ । ଚୀନର ଦବଦବା ଓ ମନମାନୀ ଅନେକାଂଶରେ ହ୍ରାସ ପାଇବ ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….