ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁ ଦେଶରେ ତୈଳ ସଙ୍କଟର ଆଶଙ୍କା ସୃଷ୍ଟି ହୋଇଛି। ଆଉ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଖର୍ଚ୍ଚ ଉପରେ ସରକାରୀସ୍ତରରେ ଅଙ୍କୁଶ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଡ଼ା ନିଷ୍ପତ୍ତି ନେଇଛନ୍ତି।ପ୍ରଶାସନକୁ ୮-ସୂତ୍ରୀ ନିର୍ଦ୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ସରକାରୀ ବିଭାଗ ଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।ଏଣିକି ସରକାରୀ ସ୍ତରର ବିଭିନ୍ନ ବୈଠକ, ସମୀକ୍ଷା, ପ୍ରଶିକ୍ଷଣ, କର୍ମଶାଳା ଆଦି ଅତି ଆବଶ୍ୟକ ନ ହେଲେ ଭର୍ଚୁଆଲ ମୋଡରେ କରାଯିବ।ଯେଉଁଠି ପ୍ରତ୍ୟକ୍ଷ ଉପସ୍ଥିତିର ଆବଶ୍ୟକତା ଥିବ, ସେଠାରେ ଆବଶ୍ୟକ ଥିବା ଅଧିକାରୀ ଓ କର୍ମଚାରୀ ପ୍ରତ୍ୟକ୍ଷ ଭାବେ ବୈଠକରେ ଯୋଗ ଦେଇପାରିବେ।ଅନ୍ୟମାନେ ଭର୍ଚୁଆଲ ମୋଡରେ ଯୋଗ ଦେବେ । ଜୁନ ୧ରୁ ସରକାରୀ ଅଫିସମାନଙ୍କରେ ଯଦି ନୂଆ ଦୁଇ ଚକିଆ ଓ ଚାରି ଚକିଆ ଯାନ କିଣାଯିବ, ସେଗୁଡ଼ିକ ବୈଦ୍ୟୁତିକ ଯାନ ହୋଇଥିବା ବାଧ୍ୟତାମୂଳକ । ବିଶେଷ ଆବଶ୍ୟକତା ଭିତ୍ତିରେ ପେଟ୍ରୋଲ କିମ୍ୱା ଡିଜେଲ ଗାଡ଼ି କିଣାକୁ ମିଳିବ ଅନୁମତି। ଜୁନ୍ ପହିଲାରୁ ସରକାରୀ ଅଫିସରେ ଭଡ଼ା ସୂତ୍ରରେ ନିଆଯାଉଥିବା ସରକାରୀ ଚାରିଚକିଆ ଯାନ EV ହେବା ବାଧ୍ୟତାମୂଳକ ହେବ । ବ୍ୟକ୍ତିଗତ ସରକାରୀ ବ୍ୟବହାର ପାଇଁ ସରକାରୀ ଯାନ ପାଇଥିବା ବରିଷ୍ଠ ଅଧିକାରୀମାନେ ନିଜ ନିଜ ମଧ୍ୟରେ କାରପୁଲିଂ କରିବେ । ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ସେହିଅନୁସାରେ ଅଧା କରାଯିବ । କେଉଁ ପାହ୍ୟାର ବରିଷ୍ଠ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ସରକାରୀ ଗାଡ଼ି ବ୍ୟବହାର କରିପାରିବେ, ସେଥିପାଇଁ ଅର୍ଥବିଭାଗ ୧୫ ଦିନ ମଧ୍ୟରେ ଏକ ମାର୍ଗଦର୍ଶିକା ଜାରୀ କରିବ । ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ୱା ରେଳଯାତ୍ରା କରିବେ । ଯେଉଁ ଅଧିକାରୀମାନଙ୍କ ନିଜସ୍ୱ ବୈଦ୍ୟୁତିକ ଗାଡ଼ି ରହିଛି, ସେମାନେ ସରକାରୀ କାର୍ଯ୍ୟରେ କିଭଳି ଏହାକୁ ବ୍ୟବହାର କରିପାରିବେ, ସେ ସମ୍ପର୍କରେ ଅର୍ଥବିଭାଗ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ।ବହୁଳମାତ୍ରାରେ ସରକାରୀ କର୍ମଚାରୀ ରହୁଥିବା ସ୍ଥାନରୁ କର୍ମଚାରୀମାନଙ୍କ ଯିବା ଆସିବା ପାଇଁ ବୈଦ୍ୟୁତିକ ବସ୍ କିମ୍ୱା ମିନିବସ୍ ସେବା ଯୋଗାଇ ଦିଆଯିବ । ସରକାରୀ ଗାଡ଼ିର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତିକମରେ ୧୦ ପ୍ରତିଶତ କମିବ, ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ । ଏହି ନୂଆ ନିୟମ କେବଳ ସଚିବାଳୟ ବା ଲୋକସେବା ଭବନ ମଧ୍ୟରେ ସୀମିତ ରହିବ ନାହିଁ । ଏହା ରାଜ୍ୟ ସଚିବାଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକ୍ସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ ଓ ସମିତିମାନଙ୍କରେ ଏହାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ଉଦାହରଣ ସାଜି ନିକଟରେ ତାଙ୍କ କାରକେଡର ଗାଡ଼ି ସଂଖ୍ୟାକୁ ଅଧା କରିବା ସହ ପେଟ୍ରୋଲ-ଡିଜେଲ ଖର୍ଚ୍ଚ କମ୍ କରିବାକୁ ସାଧାରଣ ଜନତାଙ୍କୁ ମଧ୍ୟ ନିବେଦନ କରିଥିଲେ। ଏବେ ସେହି କ୍ରମରେ ସମ୍ପୂର୍ଣ୍ଣ ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।






More Stories
୨୩ ରୁ ହାଇକୋର୍ଟ ବନ୍ଦ…..
ବେଆଇନ ନିଯୁକ୍ତି ନେଇ ତାଗିଦ…..
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..