ରିପୋର୍ଟ କାର୍ଡ / ଭୁବନେଶ୍ୱର
କିଛିବର୍ଷ ଧରି କୋମଳମତି ଶିଶୁମାନେ ପାଠ ପଢ଼ିବାଠାରୁ ବେଶି ବସ୍ତାନି ବୋଝ ଉଠାଉଥିଲେ। ଏହି ବୋଝକୁ ରାଜ୍ୟ ସରକାର ହାଲୁକା କରିଛନ୍ତି। ଜାତୀୟ ଶିକ୍ଷା ନୀତି(ଏନ୍ଇପି)-୨୦୨୦କୁ ବିଦ୍ୟାଳୟସ୍ତରରେ ବାସ୍ତବ ରୂପ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସମ୍ପୂର୍ଣ୍ଣ ନୂଆ ଶିକ୍ଷାବର୍ଷର ନୀତି ଏବଂ ଟାଇମ ଟେବୁଲ ଜାରି କରାଯାଇଛି। ଏହି ଟାଇମ ଟେବୁଲ ଅନୁଯାୟୀ ପିଲାମାନେ ବର୍ଷକୁ ୧୦ ଦିନ ବିନା ବ୍ୟାଗ୍ରେ ସ୍କୁଲ ଯିବେ। ଏଣିକି ଏନ୍ଇପି -୨୦୨୦ ଅନୁଯାୟୀ ପାଠ୍ୟକ୍ରମ ରୂପରେଖରେ ପରିବର୍ତ୍ତନ କରାଯାଇଛି। ସମସ୍ତ ଶ୍ରେଣୀର ପିଲାଙ୍କ ବିଷୟବସ୍ତୁ ଉପରୁ ଭାର ହ୍ରାସ କରିବାକୁ ଏହି ଯୋଜନା କରାଯାଇଛି। ଏନେଇ ସୋମବାର ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାଶ ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶନାମା ପାଳନ କରିବାକୁ ଚିଠି କରିଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସମସ୍ତ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରୀଛାତ୍ରଙ୍କ ପାଠପଢ଼ାକୁ କେବଳ ବହି ଭିତରେ ସୀମିତ ନ ରଖି ଏହାକୁ କାର୍ଯ୍ୟଭିତ୍ତିକ ଓ ଗଠନମୂଳକ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ନୂଆ କ୍ୟାଲେଣ୍ଡର ଅନୁଯାୟୀ, ଗୋଟିଏ ଶିକ୍ଷାବର୍ଷକୁ ମୋଟ ୨୩୦ ଦିନ କରାଯାଇଛି। ତନ୍ମଧ୍ୟରୁ ୨୦ ଦିନ ସ୍କୁଲରେ ବାର୍ଷିକୋତ୍ସବ ଓ କ୍ରୀଡ଼ା ଉତ୍ସବ ଆଦି ପାଳନ ହେବ। ଏଥିମଧ୍ୟରେ ବର୍ଷକୁ ୧୦ ଦିନ ବ୍ୟାଗ୍ବିହୀନ ଦିବସ ଭାବେ ପାଳନ କରାଯିବ। ଶିକ୍ଷାବର୍ଷରେ ୧୯୦ ଦିନ ଶିକ୍ଷାଦାନ ସହ ପ୍ରତିଦିନ ୭ଟି ପିରିୟଡ୍ ରହିବ। ବିଶେଷକରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଧନ୍ଦାମୂଳକ ଶିକ୍ଷାର ୪ଟି ପିରିୟଡ୍ ମଧ୍ୟରୁ ଗୋଟିଏ ପିରିୟଡ଼କୁ ସମ୍ପୂର୍ଣ୍ଣ ରୂପେ ବସ୍ତାନିବିହୀନ କରାଯିବ। ସେହିପରି ପ୍ରତି ଶନିବାର ବାଟିକା ପିଲାଙ୍କ ପାଇଁ ବସ୍ତାନି ବିହୀନ ଦିବସ ଭାବେ ପାଳନ ହେବ। ଏହି ଦିନ ପିଲାମାନେ ବହି-ଖାତା ଛାଡ଼ି ସୃଜନଶୀଳ କାମ ଏବଂ ବ୍ୟାବହାରିକ ଜ୍ଞାନ ଶିଖିବେ। ଏଥିସହିତ ପ୍ରତି ଶନିବାର ବିଦ୍ୟାଳୟରେ ‘ଶିଶୁ ସଭା’ ଅନୁଷ୍ଠିତ ହେବ। ପ୍ରାଥମିକସ୍ତରରୁ ହିଁ ପିଲାଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ଓ ମାନସିକ ବିକାଶ ବଢ଼ାଇବା ପାଇଁ ଶିଶୁବାଟିକା ଛାତ୍ରୀଛାତ୍ରଙ୍କୁ ନେଇ ପ୍ରତିଦିନ ‘ଗୋଲ ବୈଠକ’ ଆୟୋଜନ କରାଯିବ। ସମସ୍ତ ଶ୍ରେଣୀ ପାଇଁ ସପ୍ତାହକୁ ୪୨ଟି ପିରିୟଡ ପାଠପଢା ହେବ। ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ପାଇଁ ୪୯୮ ସମୟ ସାରଣୀ ପ୍ରସ୍ତୁତ କରାଯାଇଛି।






More Stories
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..
ରାଜ୍ୟ କ୍ୟାବିନେଟ ବୈଠକରେ ୧୦ ପ୍ରସ୍ତାବକୁ ଅନୁମୋଦନ……
ବିଜେଡିକୁ ଆସିବେ ସୁଜାତା ପାଣ୍ଡିଆନ !…..