ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଓଡ଼ିଶାର ଚିଟଫଣ୍ଡ ଦୁର୍ନୀତି ନେଇ ଦାଖଲ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ଆସନ୍ତାକାଲି ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଦୀପଙ୍କର ଗୁପ୍ତାଙ୍କ ଖଣ୍ଡପୀଠରେ ହେବ। ଶୁଣାଣି ପୂର୍ବରୁ ଗୋଲଡେନ ଲ୍ୟାଣ୍ଡ ଡେଭଲପର ଚିଟଫଣ୍ଡ ସଂସ୍ଥା ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ବାବଦରେ ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଜରିଆରେ ବିସ୍ତୃତ ତଥ୍ୟ ଦାଖଲ କରିଛନ୍ତି। ସତ୍ୟପାଠରେ ଦର୍ଶାଯାଇଛି ରାଜ୍ୟ ସରକାରଙ୍କ ଦ୍ବାରା ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ ଓ ଜିଏଲ୍ପି ଡେଭଲପର୍ସ ଲିମିଟେଡର ସଂପତ୍ତି ବାଜ୍ୟାପ୍ତ କରାଯାଇଥିବା ବେଳେ ଆଉ ଦୁଇଟି ସଂପତ୍ତି ବାଜ୍ୟାପ୍ତି ଆଦେଶ କଟକ ସ୍ଥିତ କମ୍ପିଟେଣ୍ଟ ଅଥରିଟିଙ୍କ କୋର୍ଟରେ ବିଚାରାଧୀନ ରହିଛି।ଏଥି ସହିତ କମ୍ପିଟେଣ୍ଟ ଅଥରିଟିଙ୍କ ଦ୍ବାରା ଉପରୋକ୍ତ ଦୁଇଟି ସଂସ୍ଥାର ଜମାକାରୀଙ୍କ ନିକଟରୁ ୪ ଏପ୍ରିଲ ୨୦୨୨ରୁ ୩ ଜୁନ ୨୦୨୨ ପର୍ଯ୍ୟନ୍ତ ଅନଲାଇନ କ୍ଲେମ ଆବେଦନ ଆମନ୍ତ୍ରଣ କରାଯାଇଛି। ସତ୍ୟପାଠରେ ଆହୁରି ମଧ୍ୟ କୁହାଯାଇଛି ନିର୍ଦ୍ଧାରିତ ସମୟ ମଧ୍ୟରେ ୪୭୬୧୦୧୨ ଅନଲାଇନ କ୍ଲେମ ଆବେଦନ ଗ୍ରହଣ କରାଯାଇଛି ଯାହାର ଦାବିର ପରିମାଣ ହେଉଛି ୪୭୯,୫୫,୪୩,୨୭୪ ଟଙ୍କା। ଫେରସ୍ତ ସୁପାରିସ ଅନ୍ତର୍ଗତ ଜୁଲାଇ ୩୧,୨୦୨୩ ସୁଦ୍ଧା ୩,୭୩,୩୧୧ ଆବେଦନଗୁଡ଼ିକର ଫିଲ୍ଡ ଭେରିଫିକେସନ ହୋଇସାରିଛି। ଚିହ୍ନଟ ହୋଇଥିବା ଜମାକାରୀଙ୍କ ମଧ୍ୟରୁ ୨,୫୯,୨୮୦ ସଂଖ୍ୟକ କ୍ଷୁଦ୍ର ଜମାକାରୀ ପ୍ରତ୍ୟେକଙ୍କୁ ୮୦୦୦ ଟଙ୍କା କିମ୍ବା କମ୍ ଟଙ୍କା ପ୍ରଦାନ ପାଇଁ ସୁପାରିସ ହୋଇଛି, ଯାହାର ପରିମାଣ ୯୨.୫୮ କୋଟି ଟଙ୍କା ବୋଲି ସତ୍ୟପାଠରେ ଦର୍ଶାଯାଇଛି। କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ କମ୍ପିଟେଣ୍ଟ ଅଧିକାରୀଙ୍କ ଦ୍ବାରା ଡେଜିଗନେଟେଡ କୋର୍ଟ, କଟକରେ ଆବେଦନ କରାଯାଇଛି। ଡେଜିଗନେଟେଡ କୋର୍ଟଙ୍କ ଆଦେଶ ମିଳିବା ମାତ୍ରେ ଆବଶ୍ୟକ ଔପଚାରିକତା ପୂରଣ କରାଯାଇ କ୍ଷୁଦ୍ର ଜମାକରୀଙ୍କୁ ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଦିଆଯିବ ବୋଲି ସତ୍ୟପାଠରେ କୁହାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜୁଲାଇ ୩୧,୨୦୨୩ର ଆଦେଶ ଅନ୍ତର୍ଗତ ୨୫ଜଣ ଆବେଦନକାରୀଙ୍କ ମଧ୍ୟରୁ ୧୪ଜଣ ଆବେଦନକାରୀ ସେମାନଙ୍କର ଦାବି ସଂପର୍କିତ ଆବେଦନ ରାଜ୍ୟ ସରକାରଙ୍କ ୱେବସାଇଟ ଜରିଆରେ ଦାଖଲ କରିଛନ୍ତି। ଏହି ୧୪ ଜଣ ଆବେଦନକାରୀଙ୍କ ଫିଲ୍ଡ ଭେରିଫିକେସନ କାର୍ଯ୍ୟ ଶେଷ ହୋଇଛି ଏବଂ ସେମାନେ ପ୍ରକୃତ ଜମାକାରୀ ବୋଲି ଚିହ୍ନଟ ହୋଇଛନ୍ତି। ୧୪ ଜଣଙ୍କର ଅର୍ଥ ରିଫଣ୍ଡର ପରିମାଣ ସଂପର୍କିତ ଫିଲ୍ଡ ଭେରିଫିକେସନର ସୁପାରିସ ସଂପର୍କରେ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଅନ୍ୟ ୧୧ ଜଣ ଆବେଦନକାରୀଙ୍କ ଦ୍ବାରା ଅନଲାଇନ ଆବେଦନ କରାଯାଇନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ ରହିଛି। ସତ୍ୟପାଠରେ ଏହା ମଧ୍ୟ କୁହାଯାଇଛି ଜୁଲାଇ ୩୧,୨୦୨୩ ପର୍ଯ୍ୟନ୍ତ ୧୪ ଜଣ ଆବେଦନକାରୀ ଜମା କରିଥିବା ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ ଓ ଜିଏଲପି ଡେଭଲପର୍ସ ଲିମିଟେଡ କଂପାନିରୁ ସଂପତ୍ତି ବାଜ୍ୟାପ୍ତ ଅନ୍ତର୍ଗତ ୧୦୨.୧୭ କୋଟି ଟଙ୍କା ହାସଲ ହୋଇଥିବାବେଳେ ୩,୭୩,୩୧୧ ସଂଖ୍ୟକ କ୍ଲେମଧାରୀଙ୍କ ପାଇଁ ପାଖାପାଖି ୩୪୨.୭ କୋଟି ଟଙ୍କାର ଆବଶ୍ୟକତା ରହିଛି। ସତ୍ୟପାଠରେ ୮ ହଜାରରୁ କମ ଟଙ୍କା ରହିଥିବା ୬ ଜଣ ଆବେଦନକାରୀ-ସୁଶାନ୍ତ କୁମାର ଗୌଡ଼, ଝୁନୁ ଗୌଡ଼, ମୁନା ଗୌଡ଼, ଅଙ୍କିତା ଗୌଡ଼, ଭାରତୱାଜ ଗୌଡ଼, ଓଝୁମୁରି ଗୌଡ଼ ସେମାନଙ୍କର ଅର୍ଥ ରାଶି ଶୀଘ୍ର ଫେରସ୍ତ ପାଇବେ ବୋଲି କୁହାଯାଇଛି। ଉପରୋକ୍ତ କଂପାନିଗୁଡ଼ିକର ସଂପତ୍ତି ବାଜ୍ୟାପ୍ତି ଅର୍ଥ ଆଦାୟ ହେବା ପରେ ଆବେଦନକାରୀ ଦାବିକର୍ତ୍ତା ଯେଉଁମାନଙ୍କୁ ବୃହତ୍ ଜମାକାରୀ ରୂପେ ଚିହ୍ନଟ କରାଯାଇଛି ସେମାନଙ୍କ ଦାବିକୁ ବିଚାରକୁ ନିଆଯିବ ବୋଲି ସତ୍ୟପାଠରେ କୁହାଯାଇଛି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……