Report Card Odisha

| Daily Odia News

ସିଗାରେଟ, ଗୁଟ୍‌ଖା କଟକଣା କଡାକଡି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସିଗାରେଟ, ଗୁଟ୍‌ଖା, ପାନ ମସଲା, ଜର୍ଦ୍ଦା, ଖଇନି, ତମାଖୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ସ୍ବାସ୍ଥ୍ୟ ବିଭାଗ ବହୁ ବର୍ଷ ଆଗରୁ ପ୍ରତିବନ୍ଧକ ଜାରି କରିଥିଲା। ୧୦ ଲକ୍ଷ ଟଙ୍କା ଜୋରିମାନା, ୬ ମାସ ଜେଲ୍‌ ଦଣ୍ଡ ପ୍ରାବଧାନ ବି ଅଛି। ଏବେ ସେହି ପ୍ରତିବନ୍ଧକକୁ ଆହୁରି କଡ଼ାକଡ଼ି କରାଯାଇଛି। ଏପରିକି ତମାଖୁ ସ୍ବାଦ, ବାସ୍ନା ଥିବା ଖାଦ୍ୟକୁ ବି ଛଡ଼ା ଯିବନି। କର୍କଟ ପ୍ରତିରୋଧ ଓ ତମାଖୁ ନିୟନ୍ତ୍ରଣ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଜିଲାପାଳ, ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଏବଂ ଅନ୍ୟ ପ୍ରବର୍ତ୍ତନ ଅଧିକାରୀମାନଙ୍କୁ ନିର୍ଦେଶ ଜାରି କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରି ଦର୍ଶାଯାଇଛି, ସୁପ୍ରିମକୋର୍ଟଙ୍କ ନିର୍ଦେଶ, ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (ଏଫଏସଏସଆଇ)ଙ୍କ ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା ଆଦିର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଛନ୍ତି। ତମାଖୁ ଓ ନିକୋଟିନ୍‌ଯୁକ୍ତ ପଦାର୍ଥଗୁଡ଼ିକ ମୁଖ, ଗଳା, ଅନ୍ତର୍ନିହିତ ଅଙ୍ଗର କ୍ୟାନ୍ସର ସହିତ ଗୁରୁତର ରୋଗ ସୃଷ୍ଟି କରୁଥିବାରୁ ବିଶେଷକରି ଶିଶୁ ଓ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହାନିକାରକ। ତେଣୁ ଏହି ନିଷେଧାଜ୍ଞା ପାଳନ କରି ତମାଖୁମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ରାଜ୍ୟ ସରକାର ଆହ୍ୱାନ ଦେଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ବିଭାଗ ଆହୁରି କହିଛି ଯେ, ଆଜିଠାରୁ ନୂଆ କଠୋର ନିୟମ ଲାଗୁ ହେବ।୨୦୨୪ରେ ବିଧାନସଭାରେ ଦ୍ରବ୍ୟ ଓ ସେବାକର ବିଧେୟକ ଉପରେ ଆଲୋଚନା ସମୟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ପାନ ମସଲା ଉପରେ ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧୦୧୨.୫୬ କୋଟି ଟଙ୍କା ରାଜସ୍ବ ପାଇଥିବା ବେଳେ ଗତ ତିନିମାସ ମଧ୍ୟରେ ୩୫୭.୧୬ କୋଟି ଟଙ୍କା ରାଜସ୍ବ ପାଇଛନ୍ତି। ଯେଉଁ ଉତ୍ପାଦକ କମ୍ପାନୀମାନେ ମେସିନ ପଞ୍ଜୀକରଣ ନ କରିବେ ସେମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦଣ୍ଡବିଧାନ କରାଯାଇ ପାରିବ। ଏହାଦ୍ବାରା ରାଜ୍ୟର ରାଜସ୍ବ ବଢ଼ିବ, ପାନ ମସଲା ଏବଂ ଗୁଟ୍‌ଖା ଉପରେ ସରକାର ଅଧିକ ରାଜସ୍ବ ପାଇପାରିବେ ବୋଲି କୁହାଯାଇଥିଲା। ୨୦୧୪ ମସିହାରେ ସରକାର ଗୁଟ୍‌ଖା ବିକ୍ରିରୁ ୧୭୪ କୋଟି ଟଙ୍କା ରାଜସ୍ବ ପାଇଥିବା ବେଳେ ୨୦୨୪-୨୫ରେ ଏହା ୧୨୩୪ କୋଟି ଟଙ୍କାରେ ପହଞ୍ଚିଥିଲା ବୋଲି ଗତ ସେପ୍ଟେମ୍ବରରେ ସରକାର ବିଧାନସଭାରେ କହିଥିଲେ। ତେବେ ଗୁଟ୍‌ଖା, ପାନ ମସଲା ବିକ୍ରି ଉପରେ କଟକଣା ଲାଗିବ କି ନାହିଁ ସେ ସମ୍ପର୍କରେ ସରକାରଙ୍କ ଉତ୍ତରରେ କିଛି କୁହାଯାଇ ନଥିଲା। ତମାଖୁ ଜାତୀୟ ପଦାର୍ଥର କାରବାର ଉପରେ କଟକଣା ପାଇଁ ଜାରି ହୋଇଥିବା କୋଟପା ଆଇନ୍ ଏପର୍ଯ୍ୟନ୍ତ କଡ଼ାକଡ଼ି ଲାଗୁ ହୋଇନାହିଁ। ଏପଟେ ତମାଖୁରୁ ଟିକସ ଆଦାୟ କରି ସରକାର ବେଆଇନ୍ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ଚର୍ଚ୍ଚା ହେଉଥିଲା। ନୂତନ କଡ଼ାକଡ଼ି ନିର୍ଦେଶନାମା କିପରି ଲାଗୁ କରାଯାଇଛି। ଜନସ୍ବାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏପଟେ ପାନ ମସଲା ବିକ୍ରିରୁ ସରକାର ବର୍ଷକୁ ହଜାରେ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରୁଛନ୍ତି। ଓଡ଼ିଶା ଦ୍ରବ୍ୟ ଓ ସେବା କର ବିଧେୟକ ପାରିତ କରାଇ ପାନ, ଗୁଟଖାରୁ ଅଧିକ ରାଜସ୍ବ ଆଦାୟ ପାଇଁ ବାଟ ଫିଟାଇ‌ ଦେଉଛନ୍ତି। ବାସ୍ତବରେ ସରକାର ନିରବ ଘାତକ ଗୁଟ୍‌ଖା, ଖଇନି ବ୍ୟବହାରକୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି ନା ତାକୁ ପ୍ରୋତ୍ସାହନ ଦେଉଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Breaking News