ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ସ୍ଥିତି ସମୀକ୍ଷା କରିଛନ୍ତି | କହିଛନ୍ତି କି ବର୍ତ୍ତମାନ କରୋନା ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି | ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଛନ୍ତି। ଜନସାଧାରଣଙ୍କ ସହଯୋଗ ମିଳିଲେ, ଜୀବନ ଜୀବିକାକୁ ପ୍ରଭାବିତ ନ କରି ଆମେ ପରିସ୍ଥିତିର ମୁକାବିଲା କରିପାରିବା। ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମେଡିକାଲ ଷ୍ଟାଫ, ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ରୋଗର ଅଧିକ ଆଶଙ୍କା ଥିବା ନାଗରିକଙ୍କୁ ବୁଷ୍ଟର ଡୋଜ ପ୍ରଦାନ ତ୍ବରାନ୍ବିତ କରିବା ପାଇଁ ସେ କହିଥିଲେ। ସେହିପରି ଗଣମାଧ୍ୟମର କର୍ମକର୍ତ୍ତା ମାନେ ମଧ୍ୟ ସମ୍ମୁଖ କୋଭିଡ୍ ଯୋଦ୍ଧା ଭାବେ ପରିଗଣିତ ହେଉଥିବାରୁ, ସେମାନଙ୍କୁ ବୁଷ୍ଟର ଡୋଜ ପ୍ରଦାନରେ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଅଂଶଗ୍ରହଣ କରି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସବୁ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯିବା ସହିତ ଔଷଧପତ୍ର ଏବଂ ଅନ୍ୟାନ୍ୟ ଜରୁରୀ ସମାଗ୍ରୀର ବ୍ୟବସ୍ଥା କରାଯାଇଛି। ଲୋକଙ୍କ ଜୀବିକା ଯେପରି ପ୍ରଭାବିତ ନ ହୁଏ, ତାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ସେ କହିଥିଲେ। ରାଜ୍ୟରେ ଦୈନିକ ୧୦ ରୁ ୧୧ ହଜାର ମଧ୍ୟରେ ନୂଆ ରୋଗୀ ସଂଖ୍ୟା ଦେଖା ଦେଉଥିଲେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବହୁତ କମ୍ ଅଛି । ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୧୧,୨୯୧ଟି ବେଡ୍ ରହିଛି ଏବଂ ଏଥିରୁ ମାତ୍ର ୧୧ ପ୍ରତିଶତ ବେଡ୍ରେ ରୋଗୀ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଔଷଧ, ଅକ୍ସିଜେନ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..