ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ରୋମ୍ ଗସ୍ତ କରିଛନ୍ତି | ଦିଲ୍ଲୀ ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ରୋମ୍ ଅଭିମୁଖେ ବାହାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, 5-T ସଚିବ ଭି.କେ ପାଣ୍ଡିଆନ୍, ଯୋଗାଣ ସଚିବ ଭି.ଭି. ଯାଦବ, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଦିଲ୍ଲୀ ସ୍ଥିତ ଆବାସିକ କମିଶନର ରବିକାନ୍ତ ବିଦେଶ ଗସ୍ତ କରିଛନ୍ତି ।ଇଟାଲୀରେ ପହଞ୍ଚିବା ପରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଓ୍ୱାର୍ଲଡ ଫୁଡ୍ ପ୍ରୋଗ୍ରାମ, WFP ପକ୍ଷରୁ ରୋମ୍ରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେଠାରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଓଡ଼ିଶାରେ ହୋଇଥିବା ରୂପାନ୍ତୀକରଣ ଉପରେ ବାର୍ତ୍ତା ଦେବେ ନବୀନ। ଖାଦ୍ୟ ପାଇଁ ଦିନେ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା, ଏବେ କିଭଳି ଖାଦ୍ୟ ବଳକା ରାଜ୍ୟ ହୋଇପାରିଛି ସେ ବିଷୟରେ ଅବଗତ କରାଇବେ। ରୋମରେ ରହିଣୀ ସମୟରେ ଖ୍ରିଷ୍ଟିଆନ୍ ଧର୍ମଗୁରୁ ପୋପ୍ ଫ୍ରାନସିସ୍ଙ୍କୁ ଭାଟିକାନ ସିଟିରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ୟୁରୋପରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭେଟିବା ସହ ରାଜ୍ୟର ସଂସ୍କୃତି ଓ କଳାର ବିକାଶ ନେଇ ଆଲୋଚନା କରିବେ । ରାଜ୍ୟରେ କଳା ବିକାଶ ନେଇ ଆରମ୍ଭ ହୋଇଥିବା ରୂପାନ୍ତର ପ୍ରକ୍ରିୟାରେ ପ୍ରବାସୀ ଓଡ଼ିଆମାନେ ସାମିଲ ହେବାକୁ ସେମାନଙ୍କ ସହ ଆଲୋଚନା କରିବେ ନବୀନ ।୨୬ ତାରିଖ ଅପରାହ୍ନ ୩.୨୫ରେ ରୋମରୁ ଦୁବାଇ ଫେରିବେ। ଏହାପରେ ଦୁବାଇରେ ୨୯ ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବେ। ୩୦ ଅପରାହ୍ନରେ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ ଓ ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ରାତି ୯ଟା ୩୦ ମିନିଟରେ ଭୁବନେଶ୍ୱର ଅଭିମୁଖେ ବାହାରି ରାତି ୧୧.୩୦ରେ ଏଠାରେ ପହଞ୍ଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ସୂଚନା ମିଳିଛି।






More Stories
ରତ୍ନଭଣ୍ଡାର ଗଣତି ବୈଠକ…..
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..