ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼ୁଥିଲା ବେଳେ ଟିକାକରଣ ହିଁ ଏକମାତ୍ର ସଂଜିବନୀ ଭଳି ଉଭା ହୋଇଛି। ଏଭଳି ସଂକଟ କାଳରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ସବୁପ୍ରକାର ସହଯୋଗ କରିବାକୁ ଆଗେଇ ଆସିବା ଆବଶ୍ୟକ। ରାଜ୍ୟ ସରକାର ଯେଉଁ କୋଭିଡ୍ ଟିକା ନିଜସ୍ୱ ପାଣ୍ଠିରୁ କିଣିବେ ସେ ଟିକା ଉପରେ ଜିଏସ୍ଟି ଛାଡ଼ କରାଯାଉ। ଏହାଛଡ଼ା କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସେସ୍ ଓ ସରଚାର୍ଜ ପାଣ୍ଠିରୁ ଟିକାକରଣ ପାଇଁ ସହାୟତା ଦିଅନ୍ତୁ। ଆଜି ଏମିତି ଅନୁରୋଧ କରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ଏ ପଦକ୍ଷେପ ଦ୍ୱାରା ବହୁ ଗରିବ ରାଜ୍ୟ ନିଜସ୍ୱ ପାଣ୍ଠିରୁ ମଧ୍ୟ ଟିକାକରଣ ଅଭିଯାନକୁ ବ୍ୟାପକ କରିପାରିବେ। ରାଷ୍ଟ୍ରନାୟକର ମନୋଭାବ ନେଇ ନବୀନ କେନ୍ଦ୍ରକୁ ଦେଇଥିବା ଏ ପ୍ରସ୍ତାବ କେବଳ ଓଡ଼ିଶା ନୁହେଁ ବହୁ ଗରିବ ରାଜ୍ୟକୁ ବେଶ ଲାଭ ଦେବ ବୋଲି ଚର୍ଚ୍ଚା ହେଉଛି। ନିର୍ମଳାଙ୍କୁ ଲେଖିଥିବା ଚିଠିରେ ନବୀନ ଦର୍ଶାଇଛନ୍ତି, ସମଗ୍ର ଦେଶ ମହାମାରୀ କରୋନା କାରଣରୁ ଏବେ ଯୁଦ୍ଧଭଳି ପରିସ୍ଥିତି ଦେଇ ଗତି କରୁଛି । ଦେଶକୁ କରୋନା ବିରୋଧରେ ଲମ୍ବା ଲଢ଼େଇ ପାଇଁ ଟିକାକରଣ ଜରୁରି । ତେଣୁ ରାଜ୍ୟ ସରକାରଙ୍କୁ ନିଜସ୍ୱ ପାଣ୍ଠିରୁ ୧୮ରୁ ୪୫ ବର୍ଷ ଲୋକଙ୍କ ପାଇଁ ଟିକା କିଣିବାକୁ କେନ୍ଦ୍ର ପ୍ରସ୍ତାବ ଦେଉ । ମାତ୍ର ଏ ଟିକା କ୍ରୟ ଉପରେ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ ହେଉ । ଏହାଦ୍ୱାରା ଟିକାର ଦାମ୍ କମ ରହିବ । ରାଜ୍ୟଗୁଡ଼ିକ ନିଜସ୍ୱ ପାଣ୍ଠିରୁ ଟିକା କିଣିବାକୁ ଆଗ୍ରହ ପ୍ରକାଶ କରିବେ । ଟିକାକରଣ ଅଭିଯାନ ଆହୁରି ବ୍ୟାପକ ହୋଇପାରିବ । କରୋନା ଲଢ଼େଇ ପାଇଁ ଏହା ଅତି ଜରୁରି । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଆଉ ଏକ ପ୍ରସ୍ତାବ ଦେଇଛନ୍ତି ଯେ କରୋନା ବିରୋଧୀ ଯୁଦ୍ଧରେ ବିଜୟ ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଲଢ଼ିବାକୁ ହେବ । ରାଜ୍ୟଗୁଡ଼ିକୁ ଆର୍ଥିକ ସହଯୋଗ ଦେଲେ ଯାଇ ହିଁ ଟିକାକରଣ ଆହୁରି ତେଜୀୟାନ୍ ହେବ । କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ୍ ଓ ମଦ ଉପରେ ଯେଉଁ ସେସ୍ ଏବଂ ସରଚାର୍ଜ ଆଦାୟ କରୁଛନ୍ତି ସେଥିରୁ ରାଜ୍ୟଗୁଡ଼ିକୁ ପାଣ୍ଠି ଦିଅନ୍ତୁ । ଏଭଳି ଜରୁରିକାଳୀନ ପରିସ୍ଥିତିରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ଏ ପାଣ୍ଠିରୁ ଭାଗ ଦେଲେ ତାହା ରାଜ୍ୟଗୁଡ଼ିକୁ ଆର୍ଥିକ ଦୃଷ୍ଟିରୁ ବଳୁଆ କରିବ । ରାଜ୍ୟ ସରକାରମାନେ ଟିକାକରଣକୁ ଆଗେଇ ନେବାରେ ବାଧା ରହିବନି । କରୋନା ଯୁଦ୍ଧରେ ଆମକୁ ବିଜୟଲାଭ କରିବାକୁ କେନ୍ଦ୍ର ଏ ଦୁଇଟି ପ୍ରସ୍ତାବ ଉପରେ ବିଚାର କରି ତ୍ୱରିତ ପଦକ୍ଷେପ ନେବାକୁ ସୀତାରମଣଙ୍କୁ ନବୀନ ଅନୁରୋଧ କରିଛନ୍ତି ।
More Stories
ବାଲେଶ୍ୱର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଏବେବି ସଙ୍କଟାପନ୍ନ…..
ସୃଷ୍ଟି ହେଲା ଯୋଡ଼ା ଲଘୁଚାପ: ପ୍ରବଳ ବର୍ଷୀବ,ଏହି ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ ଜାରି…..
୧୫ ରୁ ପୁଣି ବସ ବନ୍ଦ !…..