ରିପୋର୍ଟ କାର୍ଡ / ଭୁବନେଶ୍ବର
ପୂର୍ବ ବିଜେଡି ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବ ସରକାରଙ୍କୁ ମୋହନ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଗତ ସରକାର ଚାଷୀଙ୍କୁ କଥା ଦେଇ କଥା ରଖି ନ ଥିଲେ। ସୋହେଲାରେ କହିଲେ ଚାଷୀଙ୍କୁ ଶହେ ଟଙ୍କା ବୋନସ୍ ଦେବେ, କିନ୍ତୁ ଦେଲେନି। ବରଂ ଚାଷୀ ଆତ୍ମହତ୍ୟା ଦେଖା ଦେଇଥିଲା। କିନ୍ତୁ ଆମ ସରକାର ଆସୁ ଆସୁ ବଡ଼ ପଦକ୍ଷେପ ନେବା ପାଇଁ ଯାଉଛୁ। କ୍ବିଣ୍ଟାଲ ପିଛା ବୋନସ୍ ୮୦୦ ଟଙ୍କା ଦେବାକୁ ବ୍ୟବସ୍ଥା କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ବୁଧବାର ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଠାରେ, ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଲୋଚନାରୁ ଜଣାଯାଇଛି ଯେ, ତ୍ରୁଟିଶୁନ୍ୟ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲାପାଳମାନେ ସମସ୍ତ ପ୍ରସ୍ତୁତି କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ଆସନ୍ତା ୨୦ ରେ ବରଗଡ ଜିଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ୨୨ ତାରିଖରେ ସମ୍ବଲପୁର ଏବଂ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ। ନଭେମ୍ବର ୨୦ରୁ ଡିସେମ୍ବର ୭ମଧ୍ୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବର ୮ ରେ ବରଗଡ ଜିଲ୍ଲା ସୋହେଲା ଠାରେ ଏକ ରାଜ୍ୟ ସ୍ତରୀୟ କୃଷକ ସମାବେଶ ଆୟୋଜନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କୃଷକମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରିବେ। ଡିସେମ୍ବର ୮ ଠାରୁ ୨୩୦୦ ଟଙ୍କା ସହିତ ଅତିରିକ୍ତ ୮୦୦ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରଦାନ କରାଯିବ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାଷୀମାନଙ୍କୁ ଧାନ ସଂଗ୍ରହ ବ୍ୟବସ୍ଥା ପାଇଁ ନିଆଯାଇଥିବା ସରକାରୀ ପଦକ୍ଷେପ ସମ୍ପର୍କରେ ବିଭିନ୍ନ ସୂଚନା, ଶିକ୍ଷା ଓ ସଂଚାର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି। ମୁଖ୍ୟମନ୍ତ୍ରୀ ଏଥିପାଇଁ ଜିଲ୍ଲାପାଳମାନେ ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ ହୋଇ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଧାନ ମଣ୍ଡିରେ ଗ୍ରେନ ଆନାଲାଇଜର, ମଣ୍ଡି ସୁପରଭାଇଜର ଆଦି ମୁତୟନ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଚାଷୀମାନଙ୍କୁ ଟୋକନ ପ୍ରଦାନ ୧୫ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଥିଲା। ଜିଲ୍ଲାପାଳମାନେ ଚାହିଁଲେ ଟୋକନର ସମୟସୀମାକୁ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ। ପଡୋଶୀ ରାଜ୍ୟ ସହିତ ଲାଗି ରହିଥିବା ଜିଲ୍ଲା ଗୁଡିକରେ ଯେପରି ବାହାର ରାଜ୍ୟର ଧାନ ନ ପଶିବ, ସେଥିପ୍ରତି ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୀମାବର୍ତ୍ତୀ ଅଞ୍ଚଳରେ କ୍ୟାମେରା ସଂଯୁକ୍ତ ଥିବା ଯାନ ମାଧ୍ୟମରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଏବଂ ମଣ୍ଡିମାନଙ୍କରେ ସିସିଟିଭି ଲଗାଇବା ଓ କଟନି-ଛଟନି କୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ।
More Stories
ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚିତ…..
ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ…..
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..