ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତମାସ ୨୮ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସାଲେପୁରସ୍ଥିତ ମଧୁବାବୁଙ୍କ ଜନ୍ମସ୍ଥାନରେ ପ୍ରସ୍ତାବିତ ଏକ ଜନସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ। ରାଜ୍ୟ କଂଗ୍ରେସ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ କଂଗ୍ରେସର ଅନ୍ୟ କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିବେ। ଆଜି ରାଜ୍ୟ କଂଗ୍ରେସର ପ୍ରଚାର କମିଟି ବୈଠକରୁ ଏହି ସୂଚନା ମିଳିଛି। ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଦାୟିତ୍ବ ଗ୍ରହଣ କରିବା ପରେ ମଙ୍ଗଳବାର କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ ରାଜ୍ୟର ସମସ୍ତ ବିଧାନସଭା ଓ ଲୋକସଭା କ୍ଷେତ୍ରରେ କିଭଳି ପ୍ରଭାବୀ ଢଙ୍ଗରେ ଦଳର ପ୍ରଚାର କରାଯିବ ତାହାର ରଣକୌଶଳ ଉପରେ ଆଲୋଚନା କରାଯାଇଛି। ପୁରୀରୁ ରାଜ୍ୟର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପ୍ରଚାର ଆରମ୍ଭ ହେବ। ଜାତୀୟ କଂଗ୍ରେସର ୫ଟି ନ୍ୟାୟ ଓ ୨୫ଟି ଗ୍ୟାରେଣ୍ଟି ସହ ରାଜ୍ୟ କଂଗ୍ରେସର ୯ଟି ଗ୍ୟାରେଣ୍ଟି କିଭଳି ସାଧାରଣ ମତଦାତାଙ୍କ ନିକଟରେ ପହଞ୍ଚିବ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ବିଶେଷକରି ଯେଉଁ ନିର୍ବାଚନମଣ୍ଡଳୀରେ କଂଗ୍ରେସର ସ୍ଥିତି ବେଶ୍ ସୁଦୃଢ଼ ରହିଛି ସେସବୁକୁ ପ୍ରାଥମିକତା ଦିଆଯିବ। ଯାହାଫଳରେ ଆଖପାଖ ନିର୍ବାଚନମଣ୍ଡଳୀ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ବୁଥସ୍ତରରେ ଓଡ଼ିଶା କଂଗ୍ରେସର ୯ଟି ଗ୍ୟାରେଣ୍ଟିକୁ ଘରେ ଘରେ ପହଞ୍ଚାଇବା ପାଇଁ ରଣକୌଶଳ ପ୍ରସ୍ତୁତ କରାଯାଇଛି। ରାଜ୍ୟ କଂଗ୍ରେସର ଏହି ଗ୍ୟାରେଣ୍ଟି ଯଦି ଲୋକଙ୍କ ନିକଟରେ ଠିକ୍ ଭାବେ ପହଞ୍ଚିବ ତାହାଲେ ଲୋକମାନେ କଂଗ୍ରେସକୁ ନିଶ୍ଚିତ ଆଶୀର୍ବାଦ କରିବେ ବୋଲି ପ୍ରଚାର କମିଟି ଅଧ୍ୟକ୍ଷ ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ବୈଠକରେ କମିଟିର ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ସୁଧାଂଶୁ ଶେଖର ଦେଓ, ଅମୀୟ ପାଣ୍ଡବ, ଜିଆଉଲ୍ ହକ୍, ବରିଷ୍ଠ ନେତା ପଞ୍ଚାନନ କାନୁନ୍ଗୋ, ବାଙ୍କନିଧି ବେହେରା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ, ନକୁଳ ନାଏକ, ମାନସ ଚୌଧୁରୀ, ବିଶ୍ବଜିତ ଦାସ, ରସିକ ପଟ୍ଟନାୟକ, ଦାଶରଥି ଗମାଙ୍ଗୋ, ଅବଦୁଲ କାଲାମ, ହର୍ଷବର୍ଦ୍ଧନ, ହମିଦ ହୁସେନ, ଜାକବ ପ୍ରଧାନ, ସସ୍ମିତା ବେହେରା, ପୃଥ୍ବୀବଲ୍ଲଭ ପଟ୍ଟନାୟକ, ପଦ୍ମାକର ଗୁରୁ, ରଞ୍ଜିତା ରାଉତ, ବନ୍ଦିତା ପରିଡ଼ା, ବିଷ୍ଣୁଚରଣ ବାରିକ ଓ ଜିତେନ୍ଦ୍ର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।






More Stories
୨୦ରୁ ଠିକାଦାରଙ୍କ ଆନ୍ଦୋଳନ…..
ପାରାଦୀପରେ ହେବ ବ୍ଲୁ ଫ୍ଲାଗ୍ ବିଚ୍…..
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….