ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହେବେ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି। ପିକେଙ୍କ ସମ୍ପର୍କରେ ନିଷ୍ପତ୍ତି ନେବା ପରିବର୍ତ୍ତେ କଂଗ୍ରେସ ସୋମବାର ୨୦୨୪ ଆକ୍ସନ ପ୍ଲାନ ସାର୍ବଜନୀନ କରିଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଗୋଟିଏ କ୍ଷମତାସମ୍ପର୍ଣ୍ଣ କ୍ରିୟାନୁଷ୍ଠାନ ଗୋଷ୍ଠୀ ଗଠନ କରିଛି। ଏହି ଗୋଷ୍ଠୀ ୨୦୨୪ ନିର୍ବାଚନ ପୂର୍ବରୁ ଦଳ ସମ୍ମୁଖୀନ ହେଉଥିବା ରାଜନୀତିକ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବ। ସେହିପରି ଦଳ ପକ୍ଷରୁ ଆସନ୍ତାମାସରେ ରାଜସ୍ଥାନର ଉଦୟପୁରରେ ୩ ଦିନିଆ ଚିନ୍ତନ ଶିବିର ମଧ୍ୟ ଆୟୋଜନ କରାଯିବ। କଂଗ୍ରେସର ୮ ଜଣିଆ କମିଟି ଗତ ସପ୍ତାହରେ ଦଳୀୟ ସ୍ଥିତିକୁ ନେଇ ଗୋଟିଏ ରିପୋର୍ଟ ଦାଖଲ କରିଥିଲା। ଆଜି ଏହା ଉପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ବରିଷ୍ଠ ନେତାମାନେ ଆଲୋଚନା କରିଥିଲେ। ଏହାପରେ ହିଁ ସୋନିଆ ଗାନ୍ଧି ୨୦୨୪ ପାଇଁ ଟ୍ୟାକ୍ସଫୋର୍ସ ଗଠନ କରିଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ବୈଠକରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଚିନ୍ତନ ଶିବିର ସକ୍ଷମରେ ମତ ରଖିଛନ୍ତି। ଭାରତୀୟ ଜାତୀୟ କଂଗ୍ରେସର ନବ ସଂକଳ୍ପ ନାମକ ଏକ ଚିନ୍ତନ ଶିବିର ଉଦୟପୁରରେ ଆୟୋଜନା କରାଯିବ। ମେ’ ୧୩, ୧୪ ଓ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସବୁ ରାଜ୍ୟରୁ କଂଗ୍ରେସର ନେତା ଓ ନେତ୍ରୀମାନେ ଯୋଗଦେବେ। ପ୍ରାୟ ୪୦୦ରୁ ୫୦୦ ଲୋକ ଚିନ୍ତନ ଶିବିରରେ ସାମିଲ ହେବାର ଯୋଜନା ରହିଛି। ବର୍ତ୍ତମାନର ରାଜନୀତିକ ଓ ଅର୍ଥନୀତିକ ପରିସ୍ଥିତି ଉପରେ ହିଁ ଫୋକସ କରାଯିବ। ସେହିପରି ଆମ ସମାଜ ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରସଙ୍ଗ ମଧ୍ୟ ବେଶ ଗୁରୁତ୍ୱବହନ କରେ। ଚାଷୀ, ଶ୍ରମିକ, ଅନୁସୂଚିତ ଜାତି, ଜନଜାତି, ଓବିସି, ଧାର୍ମିକ, ସଂଖ୍ୟାଲଘୁ, ମହିଳା, ସାମାଜିକ ନ୍ୟାୟ, ଯୁବକ ଓ ସଶକ୍ତୀକରଣ ଭଳି ପ୍ରସଙ୍ଗଗୁଡ଼ିକ ବି ବିସ୍ତୃତ ଭାବେ ଆଲୋଚନା କରାଯିବ। ସାଂଗଠନିକ ପୁର୍ନଗଠନ ସମ୍ପର୍କରେ ଉକ୍ତ ଚିନ୍ତନ ଶିବିରରେ ନିଷ୍ପତ୍ତି ନିଆଯିବ। ଚିନ୍ତନ ଶିବିରରେ ୨୦୨୪ ସାଧାରଣ ନିର୍ବାଚନର ରଣନୀତି ସମ୍ପର୍କରେ ବି ଆଲୋଚନା କରାଯିବ।” ଗୋଟିଏ ପଟେ କଂଗ୍ରେସ ପିକେଙ୍କୁ ନିଜ ସହ ସାମିଲ କରିବା ପାଇଁ ଆଜି ନିଷ୍ପତ୍ତି ନେବ ବୋଲି ଖବର ପ୍ରକାଶ ପାଇଥିବା ବେଳେ ଅନ୍ୟପଟେ ୨୦୨୪ ଆକ୍ସନ ପ୍ଲାନ କଥା ଘୋଷଣା କରାଯାଇଛି।






More Stories
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……
ଏକା ପାରିବେନି କଳିକେଶ…..
ପ୍ରଧାନମନ୍ତ୍ରୀ ଦେଖିଲେ ଏରିଏଲ ଶୋ…..