Report Card Odisha

| Daily Odia News

ମନ୍ତ୍ରୀପଦ ଦାବି କରି ସିଦ୍ଦରମେୟାଙ୍କ ଘର ବାହାରେ ପ୍ରତିବାଦ…..

ରିପୋର୍ଟ କାର୍ଡ / ବେଙ୍ଗାଲୁରୁ

କର୍ଣ୍ଣାଟକ ରାଜନୈତିକ ବିବାଦ ଥମିବାର ନାଁ ନେଉନାହିଁ | ବିଧାନସଭାରେ କ୍ୟାବିନେଟ୍‌ ସମ୍ପ୍ରସାରଣ ଆଗରୁ ବିଧାୟକ ଡି. ସୁଧାକରଣଙ୍କ ପାଇଁ ମନ୍ତ୍ରୀ ପଦ ଦାବି କରି ଆଜି ହିରିୟୁର୍‌ ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ବାସଭବନ ବାହାରେ ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି। ପ୍ରତିବାଦକାରୀମାନେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା, ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ଓ ଡି. ସୁଧାକରଙ୍କ ପୋଷ୍ଟର୍‌ କଟ୍‌-ଆଉଟ୍‌ କରି ସ୍ଲୋଗାନ୍‌ ଦେଉଛନ୍ତି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ଘଟଣାସ୍ଥଳରେ ତୁରନ୍ତ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଘଟଣାସ୍ଥଳରେ ବାରିକେଡ୍‌ ବସାଇ ପୁଲିସ ପ୍ରତିବାଦକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରୁ ଦୂରେଇ ରଖିଛି। ସେହିପରି, ଆନେକାଲ୍‌ର ବିଧାୟକ ଶିବନ୍ନାଙ୍କୁ କର୍ଣ୍ଣାଟକ କ୍ୟାବିନେଟ୍‌ରେ ସାମିଲ କରିବା ଲାଗି ଦାବି କରି ମଧ୍ୟ ବହୁସଂଖ୍ୟକ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ପ୍ରତିବାଦ କରିଛି। ସୂଚନା‌ଯୋଗ୍ୟ, ମଙ୍ଗଳବାର ଦିନ ମଧ୍ୟ ‘ଅଲ୍‌ ଇଣ୍ଡିଆ ପଞ୍ଚମାସଲି ଲିଙ୍ଗାୟତ ମହାସଭା’ର ସଦସ୍ୟମାନେ ୩ଟି ପ୍ରସ୍ତାବନା ପାରିତ କରି କ୍ୟାବିନେଟ୍‌ରେ ଅନ୍ୟୂନ ୫ଜଣ ପଞ୍ଚମାସଲି ନେତାଙ୍କୁ ଅନ୍ତର୍ଭୁକ୍ତ କରିବା ଲାଗି ଶାସକ କଂଗ୍ରେସ ପାର୍ଟିକୁ ଅନୁରୋଧ କରିଥିଲେ। କ୍ୟାବିନେଟ୍‌ ସମ୍ପ୍ରସାରଣ ଏବଂ ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କୁ ବିଭାଗ ଆବଣ୍ଟନ ବିଷୟରେ ଅଧିକ ଆଲୋଚନା ନିମନ୍ତେ ଆଜି ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବ କୁମାର କଂଗ୍ରେସ ହାଇକମାଣ୍ଡ୍‌ଙ୍କୁ ଭେଟିବେ ବୋଲି ଆଶା କରାଯାଉଛି। ସମ୍ପ୍ରତି କର୍ଣ୍ଣାଟକ ବିଧାନସୌଧରେ କଂଗ୍ରେସ ବିଧାୟକ ଦଳର ବୈଠକ ଚାଲିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି ଡି. କେ. ଶିବକୁମାର, ଭାରପ୍ରାପ୍ତ କର୍ଣ୍ଣାଟକ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେୱାଲା, ‘ଏମ୍‌ଏଲ୍‌ସି’ ବି. କେ. ହରିପ୍ରସାଦ ଆଦି ନେତା ଉକ୍ତ ବୈଠକରେ ଉପସ୍ଥିତ ଅଛନ୍ତି।

 

Breaking News