ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦଳ ମଧ୍ୟ ପ୍ରଦେଶ ପାଇଁ ଏହି ପର୍ଯ୍ୟାୟରେ ୧୪୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଛତିଶଗଡ଼ ପାଇଁ ୩୦ ଓ ତେଲେଙ୍ଗାନା ପାଇଁ ୫୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କୁ ଦଳ ଛିନ୍ଦୱାଡ଼ାରୁ ପ୍ରାର୍ଥୀ କରିଛି। ସେହିଭଳି ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହଙ୍କୁ ଚାଚୌଡ଼ା ଆସନରୁ ପୁଣି ପ୍ରାର୍ଥୀ କରିଛି ଦଳ। ଦିଗବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂହଙ୍କୁ ରାଘୋଗଡ଼ ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ। ବୁଧନୀ ଆସନରୁ କଂଗ୍ରେସ ବିକ୍ରମ ମସ୍ତାଲଙ୍କୁ ପ୍ରାର୍ଥୀ କରିଛି। ଏହି ଆସନରୁ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଟିକେଟ ଦେଇଛି। ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ଜାରି କରିଥିବା ତାଲିକାରେ ୩୦ ଜଣ ଅନୁସୂଚୀତ ଜନଜାତି ଓ ୨୨ ଜଣ ଅନୁସୂଚୀତ ଜାତିର ପ୍ରାର୍ଥୀ ଅଛନ୍ତି। ମଧ୍ୟ ପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ଗ୍ରହଣ ହେବ। ଛତିଶଗଡ଼ରେ ଉପମୁଖ୍ୟ ଟିଏସ୍ ସିଂହ ତାଙ୍କ ଆସନ ବଜାୟ ରଖିଛନ୍ତି। ସେ ଅମ୍ବିକାପୁର ଆସନରୁ ପୁଣି ଲଢ଼ିବେ। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପାଟନା ଆସନରୁ ପ୍ରାର୍ଥୀ ହେବେ। ଏହି ଆସନରେ ଏଥର ତାଙ୍କର ମୁକାବିଲା ହେବ ତାଙ୍କର ଦୂର ସଂପର୍କୀୟ ତଥା ବିଜେପି ନେତା ବିଜୟ ବାଘେଲଙ୍କ ସହିତ। ଅମରଜୀତ ଭଗତଙ୍କୁ ସୀତାପୁର ଟିକେଟ ଦିଆଯାଇଛି। ସେ ଏହି ଆସନରୁ ୪ ଥର ଜିତିସାରିଛନ୍ତି। ଛତିଶଗଡ଼ ପାଇଁ କଂଗ୍ରେସ ଯେଉଁ ୩୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ସେଥିରୁ ୧୪ ଜଣ ଅନୁସୂଚୀତ ଜନଜାତି ବର୍ଗର। ଏଠାରେ ୯୦ଟି ବିଧାନସଭା ଆସନ ଥିବା ବେଳେ ଦୁଇଟି ପର୍ଯ୍ୟାୟରେ- ନଭେମ୍ବର ୭ ଓ ୧୭ରେ ଭୋଟ୍ ଗ୍ରହଣ ହେବ। ସେହିପରି ଦଳ ତେଲେଙ୍ଗାନା ପାଇଁ ପ୍ରଥମ ପର୍ଯ୍ୟାୟରେ ୫୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଏ.ଆର ରେଡ୍ଡୀଙ୍କୁ କୋଡ଼ଙ୍ଗଲ ଆସନ ମିଳିଥିବା ବେଳେ ଉତ୍ତମ କୁମାର ରେଡ୍ଡୀଙ୍କୁ ମିଳିଛି ହୁଜୁରନଗର ଆସନ। ଅନ୍ୟାନ୍ୟ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରୁ ଦସାରୀ ସୀତକ୍କା ମୁଲୁଗୁ ଆସନରୁ, ମିନାପାଲ୍ଲୀ ରୋହିତ ରାଓ ମେଡକ ଓ ମିନାପାଲ୍ଲୀ ହନୁମନ୍ତ ରାଓ ମାଲକାଜଗିରି ଆସନ ପାଇଁ ଟିକେଟ ପାଇଛନ୍ତି। ଏଠାରେ ମୋଟ ୧୧୯ଟି ଆସନ ଥିବା ବେଳେ ନଭେମ୍ବର ୩୦ରେ ଭୋଟ୍ ଗ୍ରହଣ ହେବ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..