Report Card Odisha

| Daily Odia News

ସମ୍ବିଧାନ ଆଉ ଧର୍ମନିରପେକ୍ଷ ହୋଇ ରହିନାହିଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସମ୍ବିଧାନ ଅସୁରକ୍ଷିତ। ଏହାକୁ ବଞ୍ଚାଇବାକୁ ପଡ଼ିବ ବୋଲି କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଅଭିଯାନ ଚଳାଇଛନ୍ତି। ଅନ୍ୟପକ୍ଷରେ, କଂଗ୍ରେସ ଅମଳରେ ସମ୍ବିଧାନ ବିପଦଗ୍ରସ୍ତ ହୋଇଥିଲା ଏବଂ ସମ୍ବିଧାନକୁ ଅସମ୍ମାନ କରିବା କଂଗ୍ରେସର ଚରିତ୍ର ବୋଲି ପାଲଟା ଅଭିଯୋଗ ହୋଇଛି। ଏହି ବାଦପ୍ରତିବାଦରେ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ନିଜକୁ ଯୋଡ଼ିଛନ୍ତି। ସମ୍ବିଧାନ ଆଉ ଧର୍ମନିରପେକ୍ଷ ହୋଇ ରହିନାହିଁ ବୋଲି କହିବା ସହ ଏଥିପାଇଁ ସେ ଉଭୟ ବିଜେପି ଓ ବିରୋଧୀ ଦଳଙ୍କୁ ଦାୟୀ କରିଛନ୍ତି। ଆଜି ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସମ୍ବିଧାନରେ ଆଉ ଅମ୍ବେଦକରଙ୍କ ମୂଲ୍ୟବୋଧ ନାହିଁ। ଉଭୟ ଶାସକ ଓ ବିରୋଧୀ ଦଳ ସମ୍ବିଧାନରେ ଅନେକ ସଂଶୋଧନ କରିଛନ୍ତି। ସଂ‌ଶୋଧନଗୁଡ଼ିକ ଜରିଆରେ ସମ୍ବିଧାନକୁ ଜାତିବାଦ, ସାମ୍ପ୍ରଦାୟିକବାଦ ଓ ପୁଞ୍ଜିବାଦରେ ପରିବର୍ତ୍ତିତ କରିଛନ୍ତି। ବେକାରୀ ଓ ଦାରିଦ୍ରୢ ଭଳି ପ୍ରସଙ୍ଗ ଠାରୁ ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ଉଭୟ କଂଗ୍ରେସ ଓ ବିଜେପି ଉଦ୍ୟମ କରୁଛନ୍ତି। ବିରୋଧୀ ଦଳଗୁଡ଼ିକ ହାତରେ ସମ୍ବିଧାନର ପ୍ରତିଲିପି ଧରି ‘ସମ୍ବିଧାନ ସୁରକ୍ଷା’ର ସ୍ଲୋଗାନଦେବାକୁ କଠୋର ସମାଲୋଚନା କରି ମାୟାବତୀ କହିଛନ୍ତି ଯେ ଉଭୟ ସରକାର ଓ ବିରୋଧୀ ସମ୍ବିଧାନର ପ୍ରତିଲିପି ନେଇ ସଂସଦ ଭିତରେ ଓ ବାହାରେ ଚିତ୍କାର କରୁଛନ୍ତି, ବାସ୍ତବରେ ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ।

Breaking News