ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଖାଇବା ତେଲର ବର୍ଦ୍ଧିତ ଦର ବୃଦ୍ଧି ହେତୁ ଖାଉଟି ଙ୍କୁ ଆଉ ଏକ ଝଟ୍କା । କାରଣ ବିଶ୍ୱର ସର୍ବବୃହତ୍ ପାମ୍ ଅଏଲ ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ଇଣ୍ଡୋନେସିଆ ଏହାର ରପ୍ତାନି ଉପରେ କଟକଣା ଲଗାଇଛି, ଯାହାର ବଡ଼ ପ୍ରଭାବ ଭାରତ ଉପରେ ପଡ଼ିବ । ଦେଶରେ ଖାଇବା ତେଲ ଦର ନୂଆ ଉଚ୍ଚ ସ୍ତରକୁ ଚାଲିଯିବ । ସାଧାରଣତଃ ସମସ୍ତ ପ୍ରକାର ଖାଇବା ତେଲ ଯଥା ସୂର୍ଯ୍ୟମୁଖୀ, ସୋରିଷ ଏବଂ ସୋୟାବିନ ଆଦିରେ ପାମ୍ ଅଏଲ୍ ଏକ ପ୍ରମୁଖ କଞ୍ଚାମାଲ । ଭାରତ ଇଣ୍ଡୋନେସିଆରୁ ବିପୁଳ ମାତ୍ରାରେ ପାମ୍ ଅଏଲ୍ ଆମଦାନି କରିଥାଏ । ବାଣିଜ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ୨୦୨୧ରେ ମାଲେସିଆରୁ ଭାରତ ସର୍ବାଧିକ ୪୦୫.୨ କୋଟି ଡଲାରର ପାମ୍ ଅଏଲ୍ ଆମଦାନି କରିଥିଲା । ଇଣ୍ଡୋନେସିଆରୁ ୩୯୪.୪ କୋଟି, ଥାଇଲାଣ୍ଡରୁ ୫୮.୩ କୋଟି, ସିଙ୍ଗାପୁରରୁ ୪୧.୯ କୋଟି ଏବଂ ପପୁଆ ନ୍ୟୁ ଗିନିରୁ ୨୪.୨ କୋଟି ଡଲାରର ପାମ୍ ଅଏଲ୍ ଆମଦାନି କରାଯାଇଥିଲା । ନିକଟରେ ବିଭିନ୍ନ ଦେଶରେ ଖାଇବା ତେଲ ଦାମ ବଢ଼ିବା ପରେ ଇଣ୍ଡୋନେସିଆରୁ ଏହାର ରପ୍ତାନୀ ବୃଦ୍ଧି ପାଇଥିଲା । ଫଳରେ ଇଣ୍ଡୋନେସିଆରେ ଏହା ଅଭାବ ପରିସ୍ଥିତି ଦେଖାଦେଇଛି । ଘରୋଇ ବଜାରରେ ଖାଇବା ତେଲ ଦର ଆକାଶ ଛୁଇଁଛି । ଏଭଳି ସ୍ଥିତିରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ତଥା ଦେଶରେ ଉପଲବ୍ଧତା ବଢ଼ାଇବା ନିମନ୍ତେ ସେଠାକାର ସରକାର ପାମ୍ ଅଏଲ୍ ରପ୍ତାନି ଉପରେ ରୋକ୍ ଲଗାଇଛନ୍ତି । ଏହି କଟକଣା ଏପ୍ରିଲ ୨୮ରୁ ଲାଗୁ ହେବ ଏବଂ ଅଭାବ ପରିସ୍ଥିତି ଟଳିବା ପର୍ଯ୍ୟନ୍ତ ବଳବତ୍ତର ରହିବ । ଫଳରେ ଭାରତ ସମେତ ସମଗ୍ର ବିଶ୍ୱରେ ଖାଇବା ତେଲର ଅଭାବ ସ୍ଥିତି ଆହୁରି ଉତ୍କଟ ହୋଇଯିବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।






More Stories
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..
ନୀତିନ ନବୀନଙ୍କ ଇସ୍ତଫା…..
ଓଏଏସ୍ ସ୍ତରରେ ଅଦଳବଦଳ…..