Report Card Odisha

| Daily Odia News

କୁଲିରୁ ଆଇଏଏସ୍…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିନେ ଲୋକଙ୍କ ଜିନିଷ ଧରି ପ୍ଲାଟଫର୍ମରୁ ଫ୍ଲାଟଫର୍ମକୁ ଧାଉଁଥିଲେ | ଆଜି ସେ ଆଇଏଏସ୍‌ ଅଫିସର। ଦୃଢ ଇଚ୍ଛା ଶକ୍ତି , କଠିନ ପରିଶ୍ରମ ବଦଳାଇ ଦେଇଛି କେରଳର ଶ୍ରୀନାଥ କେ ଙ୍କ ଜୀବନ ସହିତ ପରିଚୟ | ଅନ୍ୟ ମାନଙ୍କ ପାଇଁ ଏକ ବଡ ଉଦାହରଣ ପାଲଟିଛନ୍ତି । ଷ୍ଟେସନର କୁଲି ଏବେ ଭାରତ ସରକାରଙ୍କ ବଡ ଦଫ୍‌ତରରେ ହେବେ ବଡ ବାବୁ। ଚଳିତ ବର୍ଷ ୟୁପିଏସ୍‌ସି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା କେରଳର ଶ୍ରୀନାଥଙ୍କ ସଂଘର୍ଷ ଓ ସଫଳତାର କାହାଣୀ ନିଆରା। କେରଳ ମୁନ୍ନାରରେ ରହୁଥିବା ଶ୍ରୀନାଥ ଏର୍ଣ୍ଣାକୁଲମ ଷ୍ଟେସନରେ ଜଣେ କୁଲି ଭାବରେ କାମ କରୁଥିଲେ। ଘରେ ସେ ଏକ ମାତ୍ର ରୋଜଗାରିଆ ପୁଅ। ପରିବାରର ଲୋକଙ୍କୁ ଦୁଇ ମୁଠା ଦାନା ସହ ଜୀବନର ରାହା ଦେବା ଥିଲା ତାଙ୍କ ଲକ୍ଷ୍ୟ। ଅଭାବ ଏଡାଇବାକୁ ଷ୍ଟେସନରେ ଦୁଇ ଓଳା କୁଲି କାମ କରନ୍ତି ଶ୍ରୀନାଥ। ଡବଲ୍‌ ସିଫ୍ଟ ରେ ଦିନକୁ ୪୦୦ରୁ ୫୦୦ ଟଙ୍କା ରୋଜଗାର କରୁଥିବା ଶ୍ରୀନାଥ କିନ୍ତୁ ନିଜ ପରିବାରର ସୁନ୍ଦର ଭବିଷ୍ୟତ ପାଇଁ ସବୁବେଳ୍ ଚିନ୍ତାରେ ଥାଆନ୍ତି । ଏହି ଚିନ୍ତାରୁ ତାଙ୍କ ମୁଣ୍ଡକୁ ପସିଲା ସରକାରୀ ଅଫିସରର ହେବାର ଝୁଙ୍କ୍। ବଡ ଲକ୍ଷ୍ୟ ରେ କିନ୍ତୁ ବାଧକ ହେଲା ଦାରିଦ୍ର୍ୟ, କିନ୍ତୁ ଲଗାଇପାରିଲାନି ବ୍ରେକ୍‌। ଦୃଢ ଇଚ୍ଛା ଶକ୍ତି ଶ୍ରୀନାଥଙ୍କୁ ଦେଖାଇଲା ବାଟ। ସାହାଯ୍ୟ କଲା ନିଜ ପଇସାରେ କିଣିଥିବା ମୋବାଇଲ୍‌। ସିଭିଲ୍‌ ସର୍ଭିସ୍‌ ପାଇଁ ଦରକାର କୋଚିଂ ପାଇଁ ଶ୍ରୀନାଥଙ୍କ ପାଖରେ ଅର୍ଥ ନଥିଲା। କିନ୍ତୁ ଥିଲା ସୁଯୋଗ। ଷ୍ଟେସନର ମାଗଣା ଇଣ୍ଟରନେଟ୍‌ ଏବଂ ମୋବାଇଲ୍‌ ଶ୍ରୀନାଥଙ୍କୁ ତାଙ୍କ ଲକ୍ଷ୍ୟ ହାସଲରେ ଥିଲା ବଡ ଅସ୍ତ୍ର। ଇଣ୍ଟରନେଟ୍‌ ସାହାଯ୍ୟରେ ସେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ ଏବଂ କେରଳ ପ୍ରାଶାସନିକ ସେବାରେ ସଫଳ ହେଲେ। କିନ୍ତୁ କେପିଏସ୍‌ସି ସଫଳତା ଶ୍ରୀନାଥଙ୍କୁ ସନ୍ତୁଷ୍ କରିନଥିଲା। ଟାର୍ଗେଟ୍‌ ୟୁପିଏସ୍‌ସି, ସ୍ବପ୍ନ ଆଇଏଏସ୍‌। ପରିଶ୍ରମ ଜାରି ରଖିଥିଲେ ଶ୍ରୀନାଥ। ଚଳିତ ବର୍ଷ ପୂରଣ ହୋଇଛି ତାଙ୍କ ସ୍ବପ୍ନ , ସଫଳ ହୋଇଛି ତାଙ୍କ ପରିଶ୍ରମ। ୪ର୍ଥ ଥର ଉଦ୍ୟମରେ ସେ ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଛନ୍ତି । ପାଇଛନ୍ତି ଆଇଏଏସ୍‌। ଷ୍ଟେସନ କୁଲି ଶ୍ରୀନାଥ ଏବେ ଆଇଏଏସ୍‌ ଅଫିସର। ପ୍ରବଳ ଇଚ୍ଛା ଶକ୍ତି ନିଷ୍ଠା ଓ ଧର୍ଯ୍ୟର ଆଉ କ’ଣ ବଡ ଉଦାହରଣ ହୋଇପାରେ?

Breaking News