Report Card Odisha

| Daily Odia News

କରୋନା ସଂକ୍ରାମିତଙ୍କ ଠାରେ କିଡ୍‌ନୀ ରୋଗ ଆଶଙ୍କା ଅଧିକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପଡୁଥିବା ମାମଲା ସାମ୍ନାକୁ ଆସୁଛି। ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ଅନେକ ସମସ୍ୟା ଉପୁଜୁଛି। ବର୍ତ୍ତମାନ ଏହି ଭୂତାଣୁ ଯୋଗୁ ପୀଡ଼ିତଙ୍କଠାରେ କିଡ୍‌ନୀ ରୋଗ ହେବାର ଆଶଙ୍କା ଦେଖିବାକୁ ମିଳିଛି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, କିଡ୍‌ନୀ କାର୍ଯ୍ୟର ହ୍ରାସ କରୋନାର ଦୀର୍ଘମିଆଦୀ ପ୍ରଭାବ ଭାବରେ ଉଭା ହୋଇଛି। ଅନେକ ପୀଡିତଙ୍କଠାରେ ମଧ୍ୟ ଏପରି ସମସ୍ୟା ଦେଖିବାକୁ ମିଳିଛି, ଯେଉଁମାନେ ସାମାନ୍ୟ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ। ସେମାନଙ୍କଠାରେ କିଡ୍‌ନୀ ଜନିତ ସମସ୍ୟା ଅଧିକ ଦେଖା ଦେଉଛି। ଆମେରିକାର ଓ୍ବାଶିଂଟନ ୟୁନିଭର୍ସିଟି ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, କରୋନା ସଂକ୍ରମିତ ଲୋକଙ୍କର କିଡନୀ ନଷ୍ଟ ହେବାର ଆଶଙ୍କା ଅଧିକ ଥିବା ଜଣାପଡ଼ିଛି। ଏହା କିଡ୍‌ନୀ ରୋଗର ଆଶଙ୍କା ବି ବଢ଼ାଇପାରେ। ଆମେରିକାର ସୋସାଇଟି ଅଫ୍‌ ନେଫ୍ରୋଲୋଜିରେ ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଜିଆଦ ଅଲ-ଅଲ୍ଲୀ କହିଛନ୍ତି, ‘ଆମର ଫଳାଫଳ ସୂଚିତ କରେ ଯେ କରୋନା ପୀଡ଼ିତଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ମଧ୍ୟ ସେମାନଙ୍କର କିଡ୍‌ନୀ ସମସ୍ୟାକୁ ବିଚାର କରିବା ଉଚିତ୍‌। ଏହା ହଜାର ହଜାର ଲୋକଙ୍କୁ ଏହି ବିପଦରୁ ରକ୍ଷା କରିପାରିବ। ୨୦୨୦ ମାର୍ଚ୍ଚ ୧ରୁ ୨୦୨୧ ମାର୍ଚ୍ଚ ୧୫ ମଧ୍ୟରେ ୧୭ ଲକ୍ଷରୁ ଅଧିକ ସୁସ୍ଥ ଏବଂ କରୋନା ସଂକ୍ରମିତ ବୟସ୍କଙ୍କ ତଥ୍ୟର ବିଶ୍ଳେଷଣ ଆଧାରରେ ଅନୁସନ୍ଧାନକାରୀମାନେ ଏହି ସିଦ୍ଧାନ୍ତ ନେଇଛନ୍ତି। ଏହି ଅଧ୍ୟୟନରେ ଏକ ଲକ୍ଷ ୫୧ ହଜାରରୁ ଅଧିକ ମହିଳାଙ୍କ ତଥ୍ୟ ମଧ୍ୟ ଦେଖାଯାଇଛି। ଆଇସିୟୁରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ କିଡ୍‌ନୀ ଫଙ୍କସନ ହ୍ରାସର ସର୍ବାଧିକ ବିପଦ ଦେଖିବାକୁ ମିଳିଛି ବୋଲି ଜିଆଦ କହିଛନ୍ତି।

Breaking News