Report Card Odisha

| Daily Odia News

ସ୍କୁଲ, କଲେଜ୍ -କୋଚିଂ ସେଣ୍ଟର ବନ୍ଦ…..

ରିପୋର୍ଟ କାର୍ଡ / ପାଟଣା

ଦେଶରେ ପୁଣି କରୋନାର ପ୍ରକୋପ ବଢ଼ିବାରେ ଲାଗିଛି | ବିହାରରେ ବେକାବୁ କରୋନା ସ୍ଥିତି । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିହାର ସରକାର ରାଜ୍ୟରେ ସ୍କୁଲ, କଲେଜ୍ ଏବଂ କୋଚିଂ ସେଣ୍ଟର ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି। ଶିକ୍ଷାନୁଷ୍ଠାନ ସହିତ ହୋଷ୍ଟେଲ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୁରନ୍ତ ପ୍ରଭାବରୁ ଏହା ଲାଗୁ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଅଷ୍ଟମରୁ ଉର୍ଦ୍ଧ୍ଵ ଶ୍ରେଣୀରେ ୫୦ ପ୍ରତିଶତ ଛାତ୍ର-ଛାତ୍ରୀଙ୍କୁ ନେଇ ପାଠପଢାକୁ ଅନୁମତି ମିଳିଥିଲା। ତେବେ କରୋନା ବୃଦ୍ଧିକୁ ଦେଖି ମଙ୍ଗଳବାର ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରାଯାଇଛି। ଏହି ଆଦେଶ ଜାନୁଆରୀ ୨୧ ଯାଏଁ ବଳବତ୍ତର ରହିବ। ତେବେ ପରୀକ୍ଷା ଆୟୋଜନ ଉପରେ କୌଣସି ରୋକ୍ ଲଗାଯାଇ ନାହିଁ। କେନ୍ଦ୍ର ଓ ରାଜ୍ୟ ଆୟୋଗ ଦ୍ଵାରା ଆୟୋଜିତ ପରୀକ୍ଷା ଜାରି ରହିବ। ଏହା ବ୍ୟତୀତ ବିଦ୍ୟାଳୟ ଏବଂ ବୋର୍ଡ ଦ୍ଵାରା ଆୟୋଜିତ ପରୀକ୍ଷା ମଧ୍ୟ ସଞ୍ଚାଳିତ ହୋଇ ପାରିବ। ପୋଲିସ କିମ୍ବା ହୋମଗାର୍ଡ ପ୍ରଶିକ୍ଷଣ ସେଣ୍ଟର ଏବଂ ଚିକିତ୍ସା ସମ୍ଵନ୍ଧିତ ପ୍ରଶିକ୍ଷଣ କେନ୍ଦ୍ର ଖୋଲା ରହିବ। କିନ୍ତୁ ଅନ୍ୟ ସରକାରୀ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ ରଖାଯିବାକୁ ନିର୍ଣ୍ଣୟ ନିଆଯାଇଛି। ଗୃହ ବିଭାଗ ଦ୍ଵାରା ଜାରି ସଂଶୋଧିତ ଆଦେଶ ଆଧାରରେ ଜରୁରୀକାଳୀନ ସେବା ସହ ଜଡିତ କାର୍ଯ୍ୟାଳୟ ପୂରା କ୍ଷମତା ସହ କାମ କରିବ। ଏଠାରେ ୫୦ ପ୍ରତିଶତ କର୍ମଚାରୀ କ୍ଷମତା ନିୟମ ଲାଗୁ ହେବ ନାହିଁ। ଏଥିରେ ଜିଲ୍ଲା ପ୍ରଶାସନ, ପୋଲିସ, ହୋମଗାର୍ଡ, ବିଦ୍ୟୁତ୍ ବିଭାଗ, ଜଳ ଯୋଗାଣ, ସଫେଇ, ଅଗ୍ନିଶମ ବିଭାଗ, ସ୍ଵାସ୍ଥ୍ୟ, ପଶୁ ଚିକିତ୍ସାଳୟ, ପରିବେଶ, ଜଙ୍ଗଲ, ବାୟୁ ପରିବର୍ତ୍ତନ, ନିର୍ବାଚନ ବିଭାଗର ଗତିବିଧି ପୂର୍ବବତ ଜାରି ରହିବ। ନ୍ୟାୟପାଳିକାର କାର୍ଯ୍ୟ ଉଚ୍ଚ ନ୍ୟାୟାଳୟ ଦ୍ଵାରା ନିର୍ଦ୍ଧାରିତ ନିୟମ ଅନୁସାରେ କାର୍ଯ୍ୟ କରିବ।

Breaking News