Report Card Odisha

| Daily Odia News

ଟିକା ନେବାପରେ ୧୮୦ ଜଣଙ୍କର ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ କୋଭିଡ୍‌ ଟିକା ନେବାର ୩ ଦିନ ମଧ୍ୟରେ ୭୫ ପ୍ରତିଶତ ମୃତ୍ୟୁ ହୋଇଛି | ମାର୍ଚ୍ଚ ୩୧ ମଧ୍ୟରେ ୧୮୦ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଜାତୀୟ ଏଇଏଫ୍‌ଆଇ (ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ୍‌ ଇମ୍ୟୁନାଇଜେଶନ) କମିଟି ପକ୍ଷରୁ ଏହି ସୂଚନା ଦେଇଛନ୍ତି । ଦେଶରେ ଜାନୁୟାରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ସେହିମାସ ୨୭ ବେଳକୁ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଫେବୃୟାରୀ ୨୬ ସୁଦ୍ଧା ୪୬ ଜଣଙ୍କର ଏବଂ ମାର୍ଚ୍ଚ ୧୬ ସୁଦ୍ଧା ୮୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଟିକାକରଣ ବଢ଼ିବା ସହ ମାର୍ଚ୍ଚ ୧୬ରୁ ୨୯ ମଧ୍ୟରେ ୯୧ ଜଣଙ୍କର ଜୀବନ ଯାଇଛି। ଭାରତରେ ଟିକା ପରବର୍ତ୍ତୀ ପ୍ରତିକୂଳ ପ୍ରଭାବ ଓ ମୃତ୍ୟୁର ୟୁରୋପୀୟ ସଂଘ ଏବଂ ବ୍ରିଟେନରେ ରେକର୍ଡ ହୋଇଥିବା ପ୍ରଭାବ ସହ ସମାନ ବୋଲି ରିପୋର୍ଟରେ କୁହାଯାଇଛି। ୟୁରୋପୀୟ ସଂଘ ଓ ବ୍ରିଟେନ ପ୍ରଥମେ ଅସ୍ବୀକାର କରୁଥିଲେ ହେଁ ସବିଶେଷ ତଦନ୍ତ ପରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା ନେବା ପରେ କେତେଜଣଙ୍କଠାରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖାଦେଇଥିବା ସ୍ପଷ୍ଟ ହୋଇଥିଲା। ମାର୍ଚ୍ଚ ୩୧ରେ ନ୍ୟାଶନାଲ ଏଇଏଫ୍‌ଆଇ କମିଟି ତଥ୍ୟ ଅନୁଯାୟୀ ପ୍ରତିକୂଳ ପ୍ରଭାବ ଦେଖାଦେଇଥିବା ୩୦୫ ଜଣଙ୍କ ମଧ୍ୟରୁ ୨୭୬ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୮୭ ପ୍ରତିଶତରୁ ଅଧିକଙ୍କ ଠାରେ ଗମ୍ଭୀର ପ୍ରତିକୂଳ ପ୍ରଭାବ ଅନୁଭୂତ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଜନସ୍ବାସ୍ଥ୍ୟ କର୍ମୀ ମାଲିନି ଐସୋଲାଙ୍କ କହିବା ଅନୁଯାୟୀ କୋଭିଶିଲ୍ଡ ଟିକା ଆଷ୍ଟ୍ରାଜେନିକା ଅନୁରୂପ ହୋଇଥିବାରୁ ବ୍ରିଟେନରେ ଦେଖାଦେଇଥିବା ବିରଳ ସ୍ଥିତି ସମ୍ପର୍କରେ ଅଧିକ ଅନୁଧ୍ୟାନ ହେବା ଆବଶ୍ୟକ। ୟୁରୋପୀୟ ସଂଘ ଏବଂ ବ୍ରିଟେନରେ ୨.୫ କୋଟି ଲୋକ କୋଭିଡ୍‌ ଟିକା ନେଇଥିବାବେଳେ ସେମାନଙ୍କ ମଧ୍ୟରେ ୮୬ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେବା ସହ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଭାରତରେ ୯ କୋଟିରୁ ଊର୍ଦ୍ଧ୍ୱ ଡୋଜ୍‌ ଦିଆସରିଲାଣି। ସେଥିରୁ ଅଧିକାଂଶ କୋଭିଶିଲ୍ଡ ଟିକା ଯାହା ଆଷ୍ଟ୍ରାଜେନିକା ଦ୍ୱାରା ବିକଶିତ ଓ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ ପ୍ରସ୍ତୁତ କରୁଛି। ଦିଲ୍ଲୀ ଏମ୍ସରେ ୩୫ ଜଣ ଡାକ୍ତର ଶୁକ୍ରବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦିନକ ପୂର୍ବରୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲର ୩୭ ଡାକ୍ତରଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ଏହି ଡାକ୍ତରମାନେ କୋଭିଡ୍‌ ଟିକା ନେଇଥିଲେ। ସେମାନଙ୍କ ମଧ୍ୟରୁ ୩୨ ଜଣ ହୋମ୍‌ ଆଇସୋଲେଶନରେ ରହିଥିବାବେଳେ ୫ ଜଣ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀରେ ଗୁରୁବାର ୭,୪୩୭ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୨୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଦିନକରେ ଏହା ସର୍ବାଧିକ ସଂକ୍ରମଣ।

Breaking News