Report Card Odisha

| Daily Odia News

ଶାଶୁଘର ଚାବି ଫେରାଇବେ ବର୍ଷା…..

ରିପୋର୍ଟ କାର୍ଡ / କଟକ

ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ନଭେମ୍ବର ୨ ତାରିଖ ସୁଦ୍ଧା ଶାଶୁ ଘର ଚାବି ଫେରସ୍ତ କରିବେ | ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଅନୁଭବ ଏହି ଚାବିକୁ ଗ୍ରହଣ ନ କରନ୍ତି ତେବେ ସେହି ଚାବିକୁ ବର୍ଷା କୋର୍ଟରେ ଜମା କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। କୋର୍ଟଙ୍କ ପୂର୍ବ ଆଦେଶ ସତ୍ତ୍ୱେ ବର୍ଷା ତାଙ୍କ ଶାଶୁଘର ଚାବି ପ୍ରଦାନ ନ କରିବାରୁ ଅନୁଭବ କୋର୍ଟରେ ବର୍ଷାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହାସହ ବର୍ଷା ରୁଜୁ କରିଥିବା ଅନ୍ୟ ୨ ମାମଲାକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି। ସୋସିଆଲ ମିଡିଆରେ ବିଭିନ୍ନ ମନ୍ତବ୍ୟ ନେଇ ଅନୁଭବ ଭିଡିଓ ସେୟାର କରିଥିଲେ। ଏହା ବର୍ଷାଙ୍କ ପ୍ରତିଷ୍ଠା କ୍ଷୁର୍ଣ୍ଣ କରିଥିବାରୁ ଏହାକୁ ନେଇ ଏକ ମାନହାନୀ ମକଦ୍ଦମା କରିବାକୁ କୋର୍ଟ ଆଦେଶ ଦେବାକୁ ବର୍ଷା ଏସଡିଜେଏମ୍ କୋର୍ଟରେ ଆବେଦନ କରିଥିଲେ। ତେବେ ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ। ସେହିପରି ବର୍ଷାଙ୍କ ପକ୍ଷରୁ କୋର୍ଟରେ ଆଉ ଏକ ଆବେଦନ କରାଯାଇ ମୂଳ ଆବେଦନରେ କିଛି ସଂଶୋଧନ କରିବାକୁ ପ୍ରାର୍ଥନା କରାଯାଇଥିଲା। ମୂଳ ଆବେଦନରେ ପୁଣିଥରେ ସଂଶୋଧନ କଲେ ଅଯଥା ମାମଲା ବିଳମ୍ବିତ ହେବ ବୋଲି କହିବା ସହ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

Breaking News